କ୍ରେଡିଟ୍ କାର୍ଡ ନିୟମ ପରିବର୍ତ୍ତନ କଲେ ଦୁଇ ବ୍ୟାଙ୍କ: ରିୱାର୍ଡ ପଏଣ୍ଟ ଓ ଚାର୍ଜ ନିୟମ ବଦଳିଲା, କମ୍ ସୁବିଧା ପାଇବେ ଗ୍ରାହକ!
ନୂଆଦିଲ୍ଲୀ: କ୍ରେଡିଟ୍ କାର୍ଡ ନିୟମରେ ପରିବର୍ତ୍ତନ କରିଛନ୍ତି ଦୁଇଟି ବ୍ୟାଙ୍କ । ଯଦି ଷ୍ଟେଟମେଣ୍ଟ ସାଇକିଲରେ ରାଶି ୫୦ ହଜାର ଟଙ୍କାରୁ ଅଧିକ ହେଉଥିବ, ତେବେ ୟୁଟିଲିଟୀ ବିଲ ଭରଣା ଉପରେ ୧ ପ୍ରତିଶତ ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ଏସବିଆଇ ନିଷ୍ପତ୍ତି ନେଇଛି । ବ୍ୟାଙ୍କ ପକ୍ଷରୁ ବିଜୁଳି, ଗ୍ୟାସ ଓ ପାଣି ପରି ୟୁଟିଲିଟୀ ବିଲ ସମ୍ବନ୍ଧିତ ନିୟମରେ ଅନେକ ପରିବର୍ତ୍ତନ କରାଯାଇଛି । ଏସବିଆଇ କାର୍ଡ ନିଜର କ୍ରେଡିଟ କାର୍ଡ ୟୁଜର୍ସଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘୋଷଣା କରିଛି । ଗତ ନଭେମ୍ବର ପହିଲାରୁ ନୂଆ ନିୟମ ଲାଗୁ ହୋଇଛି ।
ସେହିପରି ଆଇସିଆଇସିଆଇ ବ୍ୟାଙ୍କ ମଧ୍ୟ ନିଜର କ୍ରେଡିଟ କାର୍ଡ ନିୟମରେ ଅନେକ ପରିବର୍ତ୍ତନ କରିଛି । ନୂଆ ନିୟମ ନଭେମ୍ବର ୧୫ରୁ ଲାଗୁ ହେବ । ବ୍ୟାଙ୍କ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ, ଇନସ୍ୟୁରାନ୍ସ ଓ ଲେଟ୍ ପେମେଣ୍ଟ ଫାଇନ ପରି ଅନେକ ବେନିଫିଟକୁ କମ୍ କରିଦେଇଛି । ଏବେ ସରକାରୀ ଟ୍ରାଞ୍ଜାକସନ ଉପରେ କୌଣସି ରିୱାର୍ଡ ମିଳିବ ନାହିଁଅ ଓ ଯଦି ଇନ୍ଧନ ଖର୍ଚ୍ଚ ପ୍ରତି ମାସରେ ୧ ଲକ୍ଷରୁ ଅଧିକ ହୁଏ, ତେବେ ସରଚାର୍ଜ ମାଫ୍ କରାଯିବ ନାହିଁ । ବର୍ତ୍ତମାନ ୫୦ ହଜାର ଟଙ୍କାରୁ କମ୍ ବିଲ ଉପରେ କୌଣସି ଅତିରିକ୍ତ ଶୁଳ୍କ ଲାଗିବନି । ମାତ୍ର ଏହାଠାରୁ ଅଧିକ ହେଲେ ଏସବିଆଇ ୧ ପ୍ରତିଶତ ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ଆଇସିଆଇସିଆଇ ବ୍ୟାଙ୍କ ନିଜର କ୍ରେଡିଟ କାର୍ଡ ପାଇଁ ରିୱାର୍ଡ ପଏର୍ଟ ରିଡେମ୍ପସନ ପ୍ରକ୍ରିୟାରେ ପରିବର୍ତ୍ତନ କରିଛି । କିଛି କ୍ୟାଟେଗୋରିରେ ରିୱାର୍ଡ ପଏର୍ଟ ରିଡେମ୍ପସନ ପୂର୍ବାପେକ୍ଷା ଅଲଗା ହେବା ଓ ଏହା ଉପରେ କିଛି ସୀମା ମଧ୍ୟ ରହିପାରେ । ଇଏମଆଇ ଜରିଆରେ କରାଯାଉଥିବା କ୍ରୟ ପାଇଁ ସୁଧହାରରେ ପରିବର୍ତ୍ତନ କରାଯାଇଛି । ନୂଆ ସୁଧ ହାର କାର୍ଡର ପ୍ରକାର ଓ ଟ୍ରାଞ୍ଜାକସନ ଆଧାରରେ ଅଲଗା ଅଲଗା ହେବ ବୋଲି ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।