କୋଲକାତା: ବହୁଚର୍ଚ୍ଚିତ କୋଲକାତା ଆର୍.ଜି. କର ମେଡିକାଲ କଲେଜ୍ରେ ପିଜି ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ ପ୍ରଥମ ଥର ଲାଗି କ୍ୟାମେରା ସାମ୍ନାରେ ମୁହଁ ଖୋଲିଛି । ଘଟଣା ନେଇ କୋର୍ଟରେ କ୍ୟାମେରା ସାମ୍ନାରେ ଅଭିଯୁକ୍ତର ବୟାନ୍ ରେକର୍ଡ କରାଯାଇଛି । ଯେଉଁଥିରେ ସେ ନିର୍ଦ୍ଦୋଷ ବୋଲି ଦାବି କରିଛି । ଘଟଣା ନେଇ ଚୁପ୍ ରହିବାକୁ ପୋଲିସ ଧମକାଉଥିବା ବେଳେ, ତାଙ୍କୁ ମିଛ ଘଟଣାରେ ଫସାଯାଇଥିବା ନେଇ ସଞ୍ଜୟ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।
ଘଟଣାକୁ ନେଇ କୋର୍ଟରେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଶୁଣାଣି ହେବ । ଘଟଣାର ତଦନ୍ତ କରୁଥିବା ସିବିଆଇ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ଯେଉଁଥିରେ ସଞ୍ଜୟ ରାୟ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇଛି । ଏଥିସହ ଡାକ୍ତରୀ ଛାତ୍ରୀଙ୍କ ସହ ଗଣବଳାତ୍କାର ବଦଳରେ କେବଳ ରେପ୍ କରାଯାଇଥିବା ମଧ୍ୟ ସିବିଆଇ ଚାର୍ଜସିଟ୍ରେ ଉଲ୍ଲେଖ କରାଯାଇଛି । ମୃତା ଛାତ୍ରୀଙ୍କ ଶରୀରରୁ ମିଳିଥିବା ସିମେନ୍ ସଞ୍ଜୟଙ୍କର ବୋଲି ଯାଞ୍ଚ ଏଜେନ୍ସି ଦାବି କରିଛି । ପାଖାପାଖି ୧୦୦ ଜଣ ସାକ୍ଷୀ, ୧୨ ପଲିଗ୍ରାଫିକ୍ ଟେଷ୍ଟ, ସିସିଟିଭି କ୍ୟାମେରା ଫୁଟେଜ୍, ଫରେନ୍ସିକ୍ ରିପୋର୍ଟ, ମୋବାଇଲ କଲ୍ ଡିଟେଲ୍ସ ଏବଂ ଅଭିଯୁକ୍ତର ବୟାନକୁ ଆଧାର କରି ସିବିଆଇ ଚାର୍ଜସିଟ୍ ଦାଖଲ କରିଛି । ଅଗଷ୍ଟ ୯ ତାରିଖ ଭୋର ସମୟରେ କେବଳ ସଞ୍ଜୟ ହିଁ ସେମିନାର୍ ହଲ୍ରେ ପ୍ରବେଶ କରିଥିବାର ସିସିଟିଭ୍ ଫୁଟେଜରେ ଦେଖିବାକୁ ମିଳିଛି ।
ଏହାବ୍ୟତୀତ ଟ୍ରେନୀ ଡାକ୍ତରାଣୀଙ୍କ ନଖ ଏବଂ ପ୍ରାଇଭେଟ୍ ପାର୍ଟରୁ ମିଳିଥିବା ରକ୍ତ ନମୁନା ସହ ସଞ୍ଜୟର ଡିଏନ୍ଏ ମ୍ୟାଚ୍ ହେଉଛି । ଅଭିଯୁକ୍ତ ସଞ୍ଜୟର ହାତ ଏବଂ ଗଳାରେ ନଖରେ ଆଘାତ ଚିହ୍ନ ମଧ୍ୟ ଦେଖାଯାଇଛି । ଯଦି ସଞ୍ଜୟ ପ୍ରକୃତ ଦୋଷୀ ତେବେ ତାଙ୍କୁ କଠୋର ଦଣ୍ଡ ମିଳିବା ଉଚିତ୍ । ଯଦି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ତେବେ ତାକୁ ଖୋଜି ବାହାର କରାଯିବା ସହ ଦୋଷୀକୁ ଦଣ୍ଡ ମିଳିବା ଦରକାର ବୋଲି ଆର୍.ଜି କର ମେଡିକାଲ କଲେଜର ଜୁନିୟର୍ ଡାକ୍ତରମାନେ ଦାବି କରିଛନ୍ତି ।