ହୃଦୟ ବିଦାରକ ଘଟଣା! ଗଳାରେ ଚୁଇଙ୍ଗମ ଅଟକିଯିବାରୁ ପ୍ରାଣ ହରାଇଲା ୪ ବର୍ଷୀୟ ଶିଶୁ

ନୂଆଦିଲ୍ଲୀ: ସାଧାରଣ ଭାବେ ପିତାମାତାମାନେ ସେମାନଙ୍କର ସନ୍ତାନମାନଙ୍କର ଖାଦ୍ୟପେୟକୁ ନେଇ ସର୍ବଦା ସାବଧାନ ରହିଥାନ୍ତି । ତେବେ ଅନେକ ସମୟରେ ଛୋଟ ପିଲାମାନେ ଭୁଲବଶତଃ ଏପରି କିଛି କରିଦେଇଥାନ୍ତି, ଯାହାର ପରିଣାମ ଭୟଙ୍କର ହୋଇଥାଏ । ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର କାନପୁରରେ । କାନପୁରରେ ଗଳାରେ ଚୁଇଙ୍ଗମ ଅଟକି ଯିବାରୁ ଗୋଟିଏ ୪ ବର୍ଷୀୟ ଶିଶୁର ପ୍ରାଣ ଚାଲିଯାଇଛି । ଏହି ଘଟଣାକୁ ନେଇ ପିତାମାତା ଶୋକର ସାଗରରେ ବୁଡ଼ିଯିବା ସହ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଖବର ମୁତାବକ, କାନପୁରର ବର୍ରା ଜରୋଲୀ ଫେଜ-୧ରେ ରହୁଥିବା ଜଣେ ଯୁବକଙ୍କର ୪ ବର୍ଷୀୟ ପୁଅ ଚୁଇଙ୍ଗମ ସେବନ କାରଣର ପ୍ରାଣ ହରାଇଛି । ରବିବାର ଦିନ ପିଲାଟି ଏକ ଦୋକାନରୁ ଚୁଇଙ୍ଗମ କିଣି ଖାଇଥିଲା । ତାହାକୁ ଖାଇବା ପରେ ଶିଶୁର ଗଳାରେ ଚୁଇଙ୍ଗମ ଫସି ରହିଥିଲା । ଏହାପରେ ଶିଶୁଟି ନିଃଶ୍ୱାସ ନେଇ ପାରିନଥିଲା । ଶିଶୁର ପରିସ୍ଥିତି ବିଗିଡ଼ିବାରୁ ତା’ର ମା’ ତାକୁ ପାଣି ପିଇବାକୁ ଦେଇଥିଲେ । ଏହାପରେ କିଛି ସମୟ ପାଇଁ ଶିଶୁଟି ଆଶ୍ୱସ୍ତି ଲାଭ କରିଥିଲା । ମାତ୍ର ପରେ ପୁଣି ତା’ର ଗଳାରେ ସମସ୍ୟା ଦେଖାଦେଇଥିଲା । ଏହାପରେ ଶିଶୁଟିକୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଚିକିତ୍ସା ନ ମିଳିବାରୁ ତାକୁ ଅନ୍ୟ ଏକ ହସ୍ପିଟାଲକୁ ନିଆଯାଇଥିଲା । ଏପରି ଭାବେ ୩ ଘଣ୍ଟା ସମୟ ଅତିକ୍ରାନ୍ତ ହୋଇଯାଇଥିଲା । ଶେଷରେ ନିରୀହ ଶିଶୁଟି ଅକାଳରେ ପ୍ରାଣତ୍ୟାଗ କରିଥିଲା । ତେବେ ଛୋଟ ପିଲାଙ୍କର ଗଳାରେ ଯଦି କୌଣସି ଜିନିଷ ଫସିଯାଏ ତେବେ ତାକୁ ପ୍ରଥମେ ଓଲଟା କରିଦେବାକୁ ଡାକ୍ତର ପରାମର୍ଶ କରିଦେଇଛନ୍ତି ।