ନୂଆଦିଲ୍ଲୀ: ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏମସିଡି) ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ଆସନ୍ତା ୧୪ ତାରିଖରେ ଦିଲ୍ଲୀ ମେୟର ଓ ଡେପୁଟୀ ମେୟର ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ମ୍ୟୁନିସିପାଲ ସେକ୍ରେଟାରୀଙ୍କ ତରଫରୁ ସୂଚନା ଦିଆଯାଇଛି । ମେୟର ଓ ଡେପୁଟୀ ମେୟର ନିର୍ବାଚନ ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ । ନଭେମ୍ବର ୧୪ରେ ଏମସିଡି ଗୃହର ବୈଠକରେ ମେୟର ଓ ଡେପୁଟୀ ମେୟର ନିର୍ବାଚନ ଅନୁଷ୍ଠିତ ହେବ । ଚଳିତ ବର୍ଷ ଅନୁସୂଚିତ ଜାତି (ଏସସି) ବର୍ଗ ପାଇଁ ମେୟର ପଦ ସଂରକ୍ଷିତ ରହିଛି ।
ଗତ ଏପ୍ରିଲ ମାସରେ ଦିଲ୍ଲୀ ମେୟର ଓ ଡେପୁଟୀ ମେୟର ନିର୍ବାଚନ ହେବାର ଥିଲା । ମାତ୍ର ପୀଠାସୀନ ଅଧିକାରୀଙ୍କ ନିଯୁକ୍ତି ନ ହୋଇ ପାରିବା କାରଣରୁ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଥିଲା । ଏହାପୂର୍ବରୁ ଅକ୍ଟୋବର ୨୮ରେ ନିର୍ବାଚନ କରାଇବା ନେଇ ଏମସିଡି ଗୃହର ବୈଠକରେ ବିରୋଧୀ ଦଳ ପକ୍ଷରୁ ବିରୋଧ କରାଯାଇଥିଲା । ଆସନ୍ତା ୧୪ ତାରିଖ ଦିନ ନିଗମର ସମସ୍ତ କାଉନସିଲର, ଦିଲ୍ଲୀ ବିଧାନସଭା ବାଚସ୍ପତିଙ୍କ ଦ୍ୱାରା ମନୋନୀତ ହୋଇଥିବା ୧୪ ଜଣ ବିଧାୟକ, ଦିଲ୍ଲୀର ୭ ଜଣ ଲୋକସଭା ସାଂସଦ ଓ ୩ ଜଣ ରାଜ୍ୟସଭା ସାଂସଦ ଭୋଟ ଗ୍ରହଣ କରିବେ ।