କାମାକ୍ଷାନଗର: ଦିନକୁ ଦିନ ଲୁଟ୍, ଚୋରି, ଛିନତାଇ ଭଳି ମାମଲା ବୃଦ୍ଧି ପାଉଥିବା ବେଳେ ଏହା ସାଧାରଣ ଜନତା ଏବଂ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏଥିମଧ୍ୟରେ ଲୁଟେରା/ଦୁର୍ବୃତ୍ତ ଲୋକଙ୍କୁ ଲୁଟିବା ପାଇଁ ବିଭିନ୍ନ ପ୍ରକାର ପନ୍ଥା ଆପଣାଉଥିବାର ନଜିର ରହିଛି । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କାମାକ୍ଷାନଗରରେ । ପ୍ରଥମେ ଆତ୍ମୀୟତା ବଢ଼ାଇଲେ ତା’ପରେ ଲିଫ୍ଟ ବାହାନାରେ ଅଟୋରେ ବସାଇ ନିଶା ଦେଇ ସବୁ କିଛି ଲୁଟି ନେଲେ । ଏନେଇ ପ୍ରଥମେ କାମାକ୍ଷାନଗର ଥାନା ଓ ପରେ ଚୌଦ୍ୱାର ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି ।
ସୂଚନାରୁ ପ୍ରକାଶ ଢେଙ୍କାନାଳ କାମାକ୍ଷାନଗର ଥାନା ଲୋକନାଥପୁର ଲୋକନାଥପୁର ଗ୍ରାମର ଅଶୋକ ସାହୁ ଏଭଳି ଲୁଟର ଶିକାର ହୋଇଛନ୍ତି । ଅଶୋକ ପେସାରେ ଜଣେ ରୋଲର ଅପରେଟର ହୋଇଥିବା ବେଳେ ସେ ଫୁଲନଖରାରେ ଏକ ଘରୋଇ କନଷ୍ଟ୍ରକସନ୍ କମ୍ପାନୀରେ କାମ କରନ୍ତି କ୍ଷ ଦୀପାବଳି ପାଳନ ପାଇଁ ନିଜ ଘରକୁ ଛୁଟିରେ ଆସୁଥିବା ବେଳେ ଲୁଟର ଶିକାର ହୋଇଛନ୍ତି । କଟକ ଲିଙ୍କ ରୋଡ଼ରେ କାମାକ୍ଷାନଗର ବସକୁ ଅପେକ୍ଷା କରିଥିଲେ । କିନ୍ତୁ ସେଠାରେ ଜଣେ ଅଟୋଚାଳକ ପହଞ୍ଚି ଅଶୋକଙ୍କୁ ଲିଫ୍ଟ ପାଇଁ ପଚାରିଥିଲେ । ଉକ୍ତ ଅଟୋ ଚାଳକ ଜଣଙ୍କ ଘର କାମାକ୍ଷାନଗର ଅଞ୍ଚଳରେ ହୋଇଥିବା କହି ସେ ତାଙ୍କୁ ଛାଡ଼ିଦେବା ନେଇ କହିଥିଲେ । ଅଶୋକଙ୍କ ସହ ଅତ୍ମୀୟତା ବଢ଼ାଇ ଅଟୋରେ ବସିବାକୁ କହିଥିଲେ । ଏହା ପରେ ତାଙ୍କୁ ଏକ ଅମୁଲ କୁଲ୍ ପିଇବାକୁ ଦେଇଥିଲେ । ଅମୁଲ କୁଲ ପିଇବାର କିଛି ସମୟ ପରେ ଅଶୋକଙ୍କ ମୁଣ୍ଡ ବୁଲାଇବା ସହ ସେ ଅଚେତ ହୋଇ ପଡିଯାଇଥିଲେ । ଫଳରେ ଅଟୋ ଚାଳକ ଜଣକ କୁସପଙ୍ଗି ନିକଟରେ ଅଶୋକଙ୍କୁ ଫିଙ୍ଗିଦେଇ ତାଙ୍କ ନିକଟରୁ ଏକ ମୋବାଇଲ ଫୋନ, ନଗଦ ଟଙ୍କା ଓ ଘରକୁ ଆଣୁଥିବା ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିଲେ । ଏପଟେ ଅଶୋକ ଘରେ ପହଂଚିବାରେ ବିଳମ୍ବ ହେବା ଓ ମୋବାଇଲ ସ୍ୱିଚ୍ଅଫ୍ ଆସିବାରୁ ପରିବାର ଲୋକ ଚିନ୍ତାରେ ରହି ଅଶୋକଙ୍କ ଫେରିବାକୁ ଅପେକ୍ଷା କରିଥିଲେ । ରାତି ହେବା ଯାଏଁ ଅଶୋକଙ୍କ କୌଣସି ପତ୍ତା ନମିଳିବାରୁ ପରିବାର ଲୋକ ପ୍ରଥମେ କାମାକ୍ଷାନଗର ଥାନା ଓ ପରେ ଚୌଦ୍ୱାର ଥାନାରେ ଏକ ମାମଲା ରୁଜୁ କରିଥିଲେ । କିନ୍ତୁ ଘଟଣା ବିତିବାର ଦୁଇ ଦିନ ହୋଇଯାଇଥିଲେ ମଧ୍ୟ ପୋଲିସ କିମ୍ବା ପରିବାର ଲୋକଙ୍କୁ ଅଶୋକଙ୍କ କୌଣସି ପତ୍ତା ମିଳିନଥିଲା । ଦୁଇ ଦିନ ବିତିଯିବା ପରେ ହଠାତ ରାତିରେ ଅଶୋକ କୁସପଙ୍ଗି ଠାରେ ଥିବାର ପରିବାର ଲୋକ ଖବର ପାଇଥିଲେ । ସେ ସେଠାରେ ଏକ ବୁଦା ଭିତରେ ପଡ଼ିଥିବା ଦେଖି କିଛି ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ପରିବାରକୁ ସୂଚନା ଦେଇଥିଲେ । ପରିବାର ଲୋକ ସେଠାରେ ପହଞ୍ଚି ଅଶୋକଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା କରାଇ ଘରକୁ ନେଇଥିବା ବେଳେ ଅଟୋ ଚାଳକ ଜଣକ ଅମୁଲ କୁଲରେ ନିଶା ଦେଇ ଏପରି କରିଥିବା ଅଶୋକ ପ୍ରକାଶ କରିଥିଲେ ।