ଲାଭ ମନୋବୃତ୍ତି ନେଇ ଇ- ମାର୍କେଟିଂରେ ଲରେନ୍ସ ଫଟୋ ଥିବା ଟି ସର୍ଟ ବିକ୍ରି, ଭୟଙ୍କର ହେଲା ପ୍ରତିକ୍ରିୟା…

ନୂଆଦିଲ୍ଲୀ: ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ଚର୍ଚ୍ଚାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ । ଏହାକୁ ଦେଖି ଏହି ଗ୍ୟାଙ୍ଗଷ୍ଟରର ଫଟୋ ଥିବା ଟି ସର୍ଟ ବିକ୍ରି ଆରମ୍ଭ କରିଥିଲେ ଇ କମର୍ସ କମ୍ପାନୀ ଫ୍ଲିପ କାର୍ଟ ଓ ମିସୋ । ଏହାକୁ ନେଇ ସାଧାରଣରେ ସମାଲୋଚନା ହେବା ପରେ ମାର୍କେଟରୁ ସବୁ ଷ୍ଟକ୍ ଉଠାଇନେଇଛନ୍ତି ଦୁଇ କମ୍ପାନୀ ।

କମ୍ପାନୀ ତରଫରୁ ଏହି ଫଟୋ ସମ୍ବଲିତ ଟି-ସର୍ଟର ମୂଲ୍ୟ ଥିଲା ମାତ୍ର ୧୬୮ ଟଙ୍କା . ଛୋଟ ପିଲାଙ୍କ ପାଇଁ ଥିଲା ୨୧୧ ଟଙ୍କା । ଲରେନ୍ସର ଫଟୋ ସହ ଗ୍ୟାଙ୍ଗଷ୍ଟର ମଧ୍ୟ ଲେଖାଥିଲା ଟି-ସର୍ଟରେ । ତେବେ ଟି-ସର୍ଟକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଗ୍ୟାଙ୍ଗଷ୍ଟରର ମହିମା ମଣ୍ଡନ ହେଉଥିବା ନେଇ ମତ ଦିଆଗଲା । ଲୋକଙ୍କ ମଧ୍ୟରେ ଏହି ପ୍ରଡକ୍ଟକୁ ନେଇ ଆକ୍ରୋଶ ଦେଖାଦେଇଥିଲା । ଏହା ଛୋଟ ଛୁଆ ଓ ଯୁବପିଢିଙ୍କ ମଧ୍ୟରେ ଉଗ୍ରତା ଓ ଅପରାଧପ୍ରବଣତା ବୃଦ୍ଧି ଆଶଙ୍କା କରିଥିଲେ ବୁଦ୍ଧିଜୀବୀ ଓ ସାଧାରଣ ଜନତା ।

ଫିଲ୍ମ ନିର୍ମାତା ଅଲିଶାନ ଜାଫରୀ ସୋସିଆଲ ମିଡିଆରେ ଏହାକୁ ନେଇ ଆପତ୍ତି ଉଠାଇଥିଲେ । ସେ ଲେଖିଥିଲେ, ଭାରତର ଅନଲାଇନ କଟ୍ଟରପନ୍ଥି ମାନସିକତାର ଗମ୍ଭୀର ଉଦାହରଣ । ଜାଫରୀ ମୁତାବକ, ଏହି ଘଟଣାକ୍ରମ ଏକ ଭୟଙ୍କର ସନ୍ଦେଶ ଦେଉଛି, ଏହା କେବଳ ସମାଜରେ ଅପରାଧପ୍ରବଣତାକୁ ବୃଦ୍ଧି କରି ଯୁବପିଢିଙ୍କ ଭିତରେ ଭୁଲ ଆଦର୍ଶର ସ୍ଥାପନ କରିବ ।