PoK ଯିବ ନାହିଁ ଚାମ୍ପିୟନ୍ସ ଟ୍ରଫି: ପାକିସ୍ତାନକୁ ଝଟକା, ଭାରତର ବିରୋଧ ପରେ ICC ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଚାମ୍ପିୟନ୍ସ ଟ୍ରଫି ଖେଳାଯିବ । ତେବେ ଏହି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟକୁ ନେଇ ବର୍ତ୍ତମାନ ସୁଦ୍ଧା ଶିଡ୍ୟୁଲ ଜାରି ହୋଇନାହିଁ । ଏଥର ଚାମ୍ପିୟନ୍ସ ଟ୍ରଫିର ଆୟୋଜନ ପାକିସ୍ତାନ କରିବାକୁ ଯାଉଥିବା ବେଳେ ଭାରତର ପାକିସ୍ତାନ ଗସ୍ତକୁ ନେଇ ନୂଆ ସମସ୍ୟା ଉପୁଜିଛି । ସୁରକ୍ଷା ଦୃଷ୍ଟି କୋଣରୁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ ନାହିଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ରୋକଠୋକ କହି ଦେଇଛି । ଏଭଳି ସ୍ଥିତିରେ ୟୁଏଇରେ ଚାମ୍ପିୟନ୍ସ ଟ୍ରଫିର ମ୍ୟାଚ ଖେଳିବା ପାଇଁ ଭାରତ ଇଚ୍ଛୁକ ରହିଛି । ତେବେ ଭାରତର ଏହି ନିଷ୍ପତ୍ତି ପରେ ପାକିସ୍ତାନ ଆଇସିସି ଓ ବିସିସିଆଇକୁ ସ୍ପଷ୍ଟିକରଣ ମାଗିଛି ।

ତେବେ ଏହା ମଧ୍ୟରେ ପାକିସ୍ତାନକୁ ପୁଣି ଏକ ଝଟକା ଲାଗିଛି । ଆଜି ଆଇସିସି ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନରେ ପହଞ୍ଚି ସାରିଥିବା ବେଳେ ତାହାକୁ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରାଯିବ । ତେବେ ଟ୍ରଫିକୁ ପାକ୍ ଅଧିକାର କଶ୍ମୀର (ପିଇକେ) ଟୁର କରିବା ନେଇ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଘୋଷଣା କରିଥିବା ବେଳେ ତାହାକୁ ନେଇ ଭାରତ ପକ୍ଷରୁ ବିରୋଧ କରାଯାଇଥିଲା । ଏହା ଚାମ୍ପିୟନ୍ସ ଟ୍ରଫିର ପିଓକେ ଟୁରକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ତରଫରୁ ବାତିଲ କରାଯାଇଛି । ଆଇସିସିର ଏହି ନିଷ୍ପତ୍ତି ପରେ ଏବେ ଚାମ୍ପିୟନ୍ସ ଟ୍ରଫିକୁ ପାକିସ୍ତାନ ପିଓକୁ ନେଇ ପାରିବ ନାହିଁ । ନଭେମ୍ବର ୧୬ରୁ ୨୪ ତାରିଖ ମଧ୍ୟରେ ଟ୍ରଫିକୁ ପୂରା ପାକିସ୍ତାନ ବୁଲାଯିବା ନେଇ ପାକିସ୍ତାନ ସରକାର ଯୋଜନା କରିଥିଲେ । ଏପରିକି ବିଶ୍ୱର ଦ୍ୱିତୀୟ ସର୍ବବୃହତ ପର୍ବତ ଶୃଙ୍ଗ କେ୨ ଉପରକୁ ମଧ୍ୟ ନେବାକୁ ପ୍ଲାନ ହୋଇଥିଲା । ମାତ୍ର ଆଇସିସିର ନିଷ୍ପତ୍ତି ପରେ ପାକିସ୍ତାନର ସବୁ ଯୋଜନା ଫେଲ୍ ମାରିଛି ।