ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ପର୍ଥରେ ଖେଳାଯିବ । ତେବେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ପୂର୍ବରୁ ଭାରତ ପାଇଁ ଏହି ସିରିଜ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏହା ମଧ୍ୟରେ ଭାରତକୁ ଲାଗିଛି ଏକ ବଡ଼ ଝଟକା । ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଟେଷ୍ଟ ସିରିଜରେ ହାରିଥିବା ବେଳେ ଏବେ ପୁଣି ଏକ ସମସ୍ୟା ଆସିଛି । ଭାରତୀୟ ଟିମର ଅନ୍ୟତମ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଶୁବମନ ଗିଲ୍ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ତେଣୁ ସେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚରୁ ବାଦ୍ ପଡ଼ିବାର ସମ୍ଭାବନା ରହିଛି ।
ଖବର ମୁତାବକ, ଇଣ୍ଡିଆ-ଏ ବିପକ୍ଷରେ ମ୍ୟାଚ ସମୟରେ ଆଙ୍ଗୁଠିରେ ଚୋଟ ଲାଗିବା କାରଣରୁ ଶୁବମନ ଆହତ ହୋଇଛନ୍ତି । ଯଦି ଶୁବମନ ପ୍ରଥମ ଟେଷ୍ଟରେ ନ ଖେଳନ୍ତି, ତାହା ଟିମ୍ ଇଣ୍ଡିଆର ଟେନସନ୍ ବଢ଼ାଇପାରେ । ଦ୍ୱିତୀୟ ସନ୍ତାନର ଜନକ ହେବା କାରଣରୁ ରୋହିତ ଏବେ ଭାରତରେ ରହିଥିବା ବେଳେ ସେ ପ୍ରଥମ ଟେଷ୍ଟ ଖେଳିବା ନେଇ ସସପେନ୍ସ ଲାଗି ରହିଛି । ଏହା ମଧ୍ୟରେ ଶୁବମନ ଆହତ ହେବା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ଯଦି ଶୁବମନ ପ୍ରଥମ ମ୍ୟାଚରୁ ବାଦ୍ ପଡ଼ନ୍ତି, ତେବେ ତାଙ୍କର ବିକଳ୍ପ ଭାବେ କାହାକୁ ଟିମରେ ସାମିଲ କରାଯିବ ତାହା ଏକ ବଡ଼ ପ୍ରଶ୍ନ । ଖୁବଶୀଘ୍ର ଟିମ୍ ମ୍ୟାନେଜମେଣ୍ଟ ଏନେଇ ବଡ଼ ନିଷ୍ପତ୍ତି ଗ୍ରହଣ କରିବ । ତେବେ ଭାରତୀୟ ଖେଳାଳିମାନେ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପୂର୍ବରୁ ବାରମ୍ବାର ଆହତ ହେବା ଦଳ ପାଇଁ ଭଲ ସଙ୍କେତ ନୁହେଁ । ଏହା ପୂର୍ବରୁ ନଭେମ୍ବର ୧୪ରେ ଦଳର ପ୍ରାକ୍ଟିସ ସେସନ ସମୟରେ ନେଟରେ ବ୍ୟାଟିଂ କରୁଥିବା ସମୟରେ ସର୍ଫରାଜ ଖାନ ଆହତ ହୋଇଥିଲେ । ମାତ୍ର ତାହା ସେତେଟା ଗୁରୁତର ନଥିଲା । ସେହିପରି ଗତ ୧୫ ତାରିଖରେ କେ.ଏଲ ରାହୁଲଙ୍କ ଡାହାଣ ହାତରେ ମଧ୍ୟ ଚୋଟ ଲାଗିଥିଲା । ସେହିପରି ବିରାଟ କୋହଲି ମଧ୍ୟ ଚୋଟକୁ ନେଇ ଚିନ୍ତିତ ଥିଲେ । ମାତ୍ର ସ୍କାନ କରିବା ପରେ ସେ ବିଲକୁଲ ଠିକ୍ ଥିବା ଜଣାପଡ଼ିଥିଲା ।