ନୂଆଦିଲ୍ଲୀ: ଦିନକୁ ଦିନ ଦିଲ୍ଲୀ ଏନସିଆରରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି । ଏହା ଲୋକଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି । ରବିବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦିଲ୍ଲୀର AQI ୫୦୦ ପାଖାପାଖି ରେକର୍ଡ଼ କରାଯାଇଥିଲା ।ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଏବଂ ପର୍ଯ୍ୟାବରଣ ମନ୍ତ୍ରଣାଳୟ ଦ୍ୱାରା ଗଠିତ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ(CAQM) ସୋମବାର ଠାରୁ GRAP-4 ପ୍ରତିବନ୍ଧକ ଲାଗୁ କରିବେ ।
ସୋମବାର ଦିଲ୍ଲୀରେ GRAP-4 ଅର୍ଥାତ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ କରିବା ପାଇଁ CAQM ନିଷ୍ପତ୍ତି ନେଇଛି । GRAP-4 ଲାଗୁ କରାଯିବା ପରେ ବାୟୁ ଗୁଣବତ୍ତା ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ତରଫରୁ କଠୋର ପଦକ୍ଷେପ ଲାଗୁ କରାଯିବ । ଏହି ପର୍ଯ୍ୟାୟରେ କାରଖାନା, ନିର୍ମାଣ କାର୍ଯ୍ୟ ଏବଂ ଯାତାୟାତ ଉପରେ ପ୍ରତିବନ୍ଧକ ରହିବ । ଦିଲ୍ଲୀରେ କେବଳ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀ ବ୍ୟତୀତ ଅନ୍ୟ ଶ୍ରେଣୀଙ୍କ ପାଇଁ ବିଦ୍ୟାଳୟ ବନ୍ଦ ରହିବ । ସେମାନଙ୍କ ଅନଲାଇନ୍ ପାଠପଢ଼ା ପାଇଁ ସରକାର ନିଷ୍ପତ୍ତି ନେବେ । ତେବେ ଆସନ୍ତୁ ଜାଣିବା GRAP-4 ସ୍ତରରେ କେଉଁ ସବୁ ପ୍ରତିବନ୍ଧକ ଲାଗୁ କରାଯିବ ।
– ରାଜଧାନୀ ଦିଲ୍ଲୀରେ ଟ୍ରକ୍ ଓ ଲୋଡର ସମେତ ଅନ୍ୟ ଭାରି ଯାନବାହନକୁ ଦିଲ୍ଲୀରେ ପ୍ରବେଶ ପାଇଁ ଅନୁମତି ନାହିଁ । କେବଳ ଆବଶ୍ୟକୀୟ ସାମଗ୍ରୀ ଯୋଗାଉଥିବା ଯାନବାହନକୁ ପ୍ରବେଶ ଅନୁମତି ଦିଆଯିବ ।
– ମୁନିସିପାଲିଟି, ସରକାରୀ ଏବଂ ଘରୋଇ ଅଫିସରେ ୫୦% କର୍ମଚାରୀଙ୍କ ସହ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦିଆଯାଇଛି । ଅନ୍ୟ କର୍ମଚାରୀ ୱାର୍କ ଫ୍ରମ୍ ହୋମ୍ କରିବେ ।
– ଅଡ୍ ଇଭେନ୍ ଗାଡ଼ି ଚାଳନା ପାଇଁ ନିଷ୍ପତ୍ତି ନିଆଯାଇପାରେ କିନ୍ତୁ ଏହା ଆବଶ୍ୟକ ନୁହେଁ ।