ପାକିସ୍ତାନର ଯୋଜନା ପଣ୍ଡ: ଇଣ୍ଡିଆନ୍ କୋଷ୍ଟ ଗାର୍ଡ ବଞ୍ଚାଇଲା ୭ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କ ଜୀବନ

ନୂଆଦିଲ୍ଲୀ: ଭାରତୀୟ ସୀମାରେ ପାକିସ୍ତାନ ସର୍ବଦା ଆତଙ୍କବାଦ ସହ ଅନେକ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିଥାଏ । ସେଥିପାଇଁ ସାରା ବିଶ୍ୱରୁ ଆତଙ୍କବାଦକୁ ମୂଳପୋଛ କରିବା ପାଇଁ ଭାରତ ସର୍ବଦା ପ୍ରୟାସ କରି ଆସିଛି । ତେବେ ଏହା ମଧ୍ୟରେ ପାକିସ୍ତାନ କିଛି ଭାରତୀୟ ମତ୍ସ୍ୟଜୀବୀଙ୍କୁ ଜାହାଜରେ ନେଇଯିବା ସମୟରେ ତା’ର ସବୁ ଯୋଜନା ପଣ୍ଡ ହୋଇଛି । ଠିକ୍ ସମୟରେ ଭାରତୀୟ ତଟରକ୍ଷୀ ବାହିନୀ ପହଞ୍ଚିବା ଦ୍ୱାରା ୭ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କ ଜୀବନ ବଞ୍ଚି ପାରିଛି । ଯଦି ଠିକ୍ ସମୟରେ ଇଣ୍ଡିଆନ୍ କୋଷ୍ଟ ଗାର୍ଡର କର୍ମଚାରୀମାନେ ପହଞ୍ଚିନଥାନ୍ତେ ତେବେ ଏହି ସମସ୍ତ ମତ୍ସ୍ୟଜୀବୀଙ୍କ ବଞ୍ଚିବା ମୁସ୍କିଲ ହୋଇପଡ଼ିଥାନ୍ତା ।

ସୂଚନା ମୁତାବକ, ନଭେମ୍ବର ୧୭ରେ ତଟରକ୍ଷୀ ବାହିନୀ ପାକିସ୍ତାନୀ ମେରିଟାଇମ ସିକ୍ୟୁରିଟି ଏଜେନ୍ସିର (ପିଏମଏସଏ)ର ଜାହାଜ ପିଏମଏସ ନୁସ୍ରତ କବଳରୁ ୭ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲା । ପାକିସ୍ତାନ ଏହି ସମସ୍ତ ମତ୍ସ୍ୟଜୀବୀଙ୍କୁ ଜୋରଜବରଦସ୍ତି ଗିରଫ ଗରି ନିଜର ସୀମାକୁ ଜାହାଜରେ ନେଇ ପଳାଇ ଯାଉଥିଲା । ଏହି ମତ୍ସ୍ୟଜୀବୀମାନେ ଭାରତ-ପାକିସ୍ତାନ ସୀମାରେ ମାଛ ମାରୁଥିଲେ । ଦୁର୍ଭାଗ୍ୟକୁ ସେମାନେ ପାକିସ୍ତାନୀଙ୍କ କବଳରେ ପଡ଼ିଥିଲେ । ସେହିଦିନ ଦ୍ୱିପ୍ରହର ୩.୦୩ ସମୟରେ ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ଆଇସିଜି ଅଗ୍ରୀମ ନିକଟକୁ ଏକ ଏମର୍ଜେନ୍ସି କଲ୍ ଆସିଥିଲା । ତାହା ଏକ ଡିଷ୍ଟ୍ରେସ କଲ୍ ଥିଲା, ଯାହାକି ସହାୟତା ମାଗିଥିଲା । ଏହାପରେ ଭାରତ-ପାକିସ୍ତାନ ମଧ୍ୟରେ ଦୁଇ ଘଣ୍ଟା ଧରି ଲଢ଼େଇ ଚାଲିଥିଳା । ଶେଷରେ ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।