ପୁଣେ- ମହାରାଷ୍ଟ୍ରରେ ୨୦ ନଭେମ୍ବରକୁ ୨୮୮ ଆସନରେ ହେବ ମତଦାନ । ସୋମବାର ପ୍ରଚାରର ଶେଷ ଦିନ ଥିଲା । ଠିକ ମତଦାନ ଆଗରୁ ଏନସିପି , ସରଦଙ୍କ ଦଳର ନେତା ତଥା ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଉପରେ ହୋଇଛି ଆକ୍ରମଣ । ଏହି ଆକ୍ରମଣ ସୋମବାର ନିର୍ବାଚନ ପ୍ରଚାରର ଶେଷ ଦିନ ଅର୍ଥାତ୍ ସୋମବାର ରାତିରେ ହୋଇଛି । ଅନିଲ ଏକ ଗାଁରେ ସଭା ସାରି ଫେରିବା ଉପରେ ରାତି ପ୍ରାୟ ୮ଟାରେ ତାଙ୍କୁ ଆକ୍ରମଣ ହୋଇଛି ।
ପୋଲିସ ସୂଚନା ମୁତାବକ, କଟୋଲ ନିକଟବର୍ତ୍ତୀ ଜଲାଲଖେଡା ରାସ୍ତାରେ ବେଲଫାଟା ଦେଇ ଅନିଲଙ୍କ ଗାଡି ଉପରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଗାଡି ଉପରକୁ ଟେକା ପଥର ଫିଙ୍ଗିଥିଲେ । ପଥର ମୁଣ୍ଡରେ ବାଜିବାରୁ ସେ ଲହୁଲୁହାଣ ହୋଇଥିଲେ । ତାଙ୍କୁ ତୁରନ୍ତ ହିଁ କଟୋଲ ସିଭିଲ ହସ୍ପିଟାଲ ନିଆଯାଇଥିଲା । ଏହି ଘଟଣାକୁ ନେଇ ଶିବସେନା ଉଦ୍ଧବ ଗୋଷ୍ଠୀର ନେତା ସଞ୍ଜୟ ରାଉତ ନିର୍ବାଚନ କମିଶନଙ୍କୁ ଦାୟୀ କରିଛନ୍ତି । ସେ ଅଭିଯୋଗ କରିଛନ୍ତି କି, ଦେଶମୁଖଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରାଯାଇଥିଲା । ଦେବେନ୍ଦ୍ର ଫଡନାବିସ ରାଜ୍ୟରେ ଦୁଇ ବର୍ଷ ଭିତରେ ଲ ଆଣ୍ଡ ଅଡରର ଧଜ୍ଜିଆ ଉଡାଇ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ସଞ୍ଜୟ ।
ଏଥିସହ ଦେଶମୁଖଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ସଞ୍ଜୟ ଟ୍ୱିଟ କରି କହିଛନ୍ତି କି, ମହାରାଷ୍ଟ୍ରର ଲ ଆଣ୍ଡ ଅର୍ଡର ନଷ୍ଟ ହୋଇଯାଇଛି । ଏହି ରାଜ୍ୟରେ, ନିର୍ବାଚନରେ ଏପରି ହିଂସା କେବେ ଦେଖାଯାଇନଥିଲା । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ପୂରା ରାଜ୍ୟ ନିର୍ବାଚନ କମିଶନଙ୍କ ଅଧୀନରେ, ତେଣୁ ସେ ଏହି ଆକ୍ରମଣ ପାଇଁ ଦାୟୀ ।