ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଆସନ୍ତା ଫେବୃଆରୀ ମାସ ୯ ତାରିଖରେ କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚକୁ ନେଇ ଆସିଛି ଏକ ବଡ଼ ଖବର । ବାରବାଟୀରେ ଖେଳାଯିବାକୁ ଥିବା ଏହି ମ୍ୟାଚ ପାଇଁ ପୂର୍ବରୁ କ୍ରିକେଟ ଆସୋସିଏସନ (ଓସିଏ) ତରଫରୁ ଟିକେଟ୍ ଦାମ୍ ଧାର୍ଯ୍ୟ କରାଯାଇଥିଲା । ତେବେ ବୃର୍ଦ୍ଧିତ ଟିକେଟ ଦାମକୁ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ନୈରାଶ୍ୟ ଖେଳିଯିବା ସହିତ ବିଭିନ୍ନ ମହଲରୁ ଏହାକୁ ବିରୋଧ କରାଯାଇଥିଲା । ତେବେ ଏହା ମଧ୍ୟରେ ଆଜି ବାରବାଟୀରେ ଖେଳାଯିବାକୁ ଥିବା ମ୍ୟାଚ ପାଇଁ ଟିକେଟ୍ ଦାମ୍ ହ୍ରାସ କରିଛି ଓସିଏ ।
ତେବେ ସଦ୍ୟ ନିଷ୍ପତ୍ତି ଅନୁସାରେ, ଓସିଏ ତରଫରୁ ସର୍ବନିମନ ୧୦୦ ଟଙ୍କା ଟିକେଟ୍ ଦାମ୍ ହ୍ରାସ କରାଯାଇଛି । ଗ୍ୟାଲେରୀ ୧ ଓ ୩ର ମୂଲ୍ୟ ପୂର୍ବରୁ ୧୨୦୦ ଥିବା ବେଳେ ଏବେ ତାହାକୁ ୧୦୦ ଟଙ୍କା କରାଯାଇଛି । ସେହିପରି ଗ୍ୟାଲେୀ ୫ର ଟିକେଟ ମୂଲ୍ୟ ୧୫୦୦ ରହିଥିବା ବେଳେ ଏବେ ତାହା ୧୨୦୦ ହୋଇଛି । ଗ୍ୟାଲେରୀ ୨ ଓ ୪ର ଟିକେଟ ଦାମ୍ ୧୦୦୦ ରହିଥିବା ବେଳେ ଏବେ ତାହାକୁ ୯୦୦ କରାଯାଇଛି । ଗ୍ୟାଲେରୀ ୭ର ଟିକେଟ ଦାମ୍ ୮୦୦ ରହିଥିବା ବେଳେ ଏବେ ୭୦୦ ହୋଇଛି । ସ୍ପେଶାଲ ଏନକ୍ଲୋଜର ଦାମ୍ ୭ ହଜାର ଥିବା ବେଳେ ତାହା ୬ ହଜାର କରାଯାଇଛି । ଏସି ଗ୍ୟାଲେରୀ ବକ୍ସର ଦାମ୍ ୯ ହଜାର ରହିଥିବା ବେଳେ ଏବେ ତାହା ୮ ହଜାର ହୋଇଛି । କର୍ପୋରେଟ ବକ୍ସର ଦାମ୍ ୨୦ ହଜାରରେ ଓ ନ୍ୟୁ ପାଭିଲିୟନ ୧୦ ହଜାର ଟଙ୍କାରେ ଅପରିବର୍ତ୍ତିତ ରହିଛି ।