ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଈଶ୍ୱରଙ୍କ ସୃଷ୍ଟିରେ ମା’ର ସ୍ଥାନ ସବୁଠାର ଉଚ୍ଚରେ, ତାହା ପୁଣି ଥରେ ପ୍ରମାଣିତ ହୋଇଛି । ସାଧାରଣ ଭାବେ ମଣିଷ ସମେତ ବିଭିନ୍ନ ପଶୁ, ପକ୍ଷୀମାନେ ନିଜ ନିଜ ଛୁଆଙ୍କୁ କ୍ଷୀର ପାନ କରାଇଥାନ୍ତି । ତେବେ କୌଣସି ଜୀବ ଅନ୍ୟ ଜୀବର ଛୁଆ ପ୍ରତି ଏତେବଡ଼ ତ୍ୟାଗ କରିବା ବୋଧହୁଏ ଏକ ବିରଳ ଘଟଣା । କେବଳ ମଣିଷ ନୁହନ୍ତି ପଶୁମାନେ ମଧ୍ୟ ମା’ର ମମତାକୁ ଭଲ ଭାବେ ବୁଝି ପାରନ୍ତି ଆଉ ତ୍ୟାଗ କରିପାରନ୍ତି । ତାହା ଆଜି ପ୍ରମାଣିତ କରିଛି ଗୋଟିଏ ଗୃହପାଳିତ ପଶୁ କୁକୁର । ସେ ପଶୁ ହେଲେ ବି ତା’ଠାରେ ବି ମାତୃ ହୃଦୟ ରହିଛି, ସେ ବି ମମତାର ମୂଲ୍ୟ ଦେଇପାରେ ।
ଯାଜପୁରୁ ଜିଲ୍ଲାରୁ ଆସିଛି ଏଭଳି ଏକ ହୃଦୟସ୍ପର୍ଶୀ ଦୃଶ୍ୟ । ଗୋଟିଏ ବାଛୁରୀର ଭୋକ ଯନ୍ତ୍ରଣାକୁ ଦୂର କରିବା ପାଇଁ ମାଆ କୁକୁର ବଡ଼ ତ୍ୟାଗ କରିଛି । ବାଛୁରୀଟି କ୍ଷୀର ପାନ କରୁଥିବା ବେଳେ ମାଆ କୁକୁର ଗୋଟିଏ ସ୍ଥାନରେ ଛିଡ଼ା ହୋଇ ନିଜ ଛୁଆ ଭଳି କ୍ଷୀର ଦାନ କରୁଛି । ଯଦି ମାଆ କୁକୁର ମନରେ ତ୍ୟାଗ ନଥାନ୍ତା, ସେ ଅନ୍ୟ କାହାର ଛୁଆକୁ କେବେ ବି କ୍ଷୀର ପାନ କରାଇନଥାନ୍ତା । ବାଛୁରୀଟି ଅନ୍ୟ କାହାର ଛୁଆ ହେଲେ ବି ତା’ର ଦୁଃଖକୁ ସହ୍ୟ କରିପାରି ନଥିଲା ମାଆ କୁକୁର । କେମିତି ବା ସହିଥାନ୍ତା, ସେ ପରା ଜଣେ ମାଆ । ପଶୁ ହେଲେ ବି ତା’ଠାରେ ବି ମା’ର ମମତା ଭରି ରହିଛି ବୋଲି ଆଜି ସେ ପ୍ରମାଣିତ କରିଦେଇଛି । ଯାଜପୁର ଜିଲ୍ଲାର ଦାନଗଦୀ ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନପୁର ପଞ୍ଚାୟତର ମାନପୁର ଅଞ୍ଚଳରେ ଦେଖିବାକୁ ମିଳିଥିଲା ଏଭଳି କିଛି ଦୃଶ୍ୟ । ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଏବେ ଚର୍ଚ୍ଚା ଦେଖିବାକୁ ମିଳିଛି ।