ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୃହପାଳିତ ପଶୁ କୁକୁର ସବୁଠାରୁ ବଫାଦାର ବୋଲି କୁହାଯାଇଥାଏ । ନିଜର ମାଲିକ ବିପଦରେ ପଡ଼ିଥିବା ସମୟରେ ବିଶ୍ୱସ୍ତ କୁକୁର ତାଙ୍କର ଜୀବନ ବଞ୍ଚାଉଥିବାର ଅନେକ ଦୃଶ୍ୟ ଆମେ ଫିଲ୍ମ ସିନରେ ଦେଖିଛେ । ତେବେ ଉକ୍ତ ଘଟଣାର ପୁନରାବୃତ୍ତି ଘଟିଛି ବାସ୍ତବ ଜୀବନରେ । ନିଜର ମାଲିକାଲୀଙ୍କୁ ବଞ୍ଚାଇବାକୁ ଆଜି ଗୋଟିଏ ନିରୀହ ଗୃହପାଳିତ ପଶୁର ଜୀବନ ଚାଲିଯାଇଛି । କୁକୁରର ଏହି ତ୍ୟାଗ ବ୍ୟର୍ଥ ଯାଇନଥିଲା । ମାଲିକାଣୀ ବଞ୍ଚିଯାଇଥିଲେ, ମାତ୍ର କୌଣସି ଦୋଷ କରିନଥିବା କୁକୁରଟି ସବୁଦିନ ପାଇଁ ଏ ଦୁନିଆରୁ ବିଦାୟ ନେଇଛି ।
ଖବର ମୁତାବକ, ପୁରୀ ଜିଲ୍ଲାର ତାଳବଣିଆ ଥାନା ଅଞ୍ଚଳରେ ଦେଖିବାକୁ ମିଳିଥିଲା ଏଭଳି ଏକ ଘଟଣା । ସିଦ୍ଧମହାବୀର ନୀଳଚକ୍ର ଲେନରେ କୁକୁରକୁ ଜଣେ ବ୍ୟକ୍ତି ଅତି ବୀଭତ୍ସ ଭାବେ ହତ୍ୟା କରିଥିବା ନେଇ କୁକୁର ମାଲିକାଲୀଙ୍କ ଭାଇ ତାଳବଣିଆ ଥାନାରେ ଅଭିଯୋଗ କରିଛନ୍ତି । ସିଦ୍ଧମହାବୀର ଦାଦାବାନି ଅଞ୍ଚଳର ଜଣେ ଯୁବତୀ ୬ ବର୍ଷ ତଳେ ଗୋଟିଏ କୁକୁରକୁ ପାଳିଥିଲେ । ତେବ ଦେଢ଼ବର୍ଷ ତଳେ ଯୁବତୀଙ୍କ ବିବାହ ହୋଇଥିବା ବେଳେ ବାହାଘର ପରେ କୁକୁରଟି ନିଜ ମାଲିକାଣୀଙ୍କୁ ଝୁରି ଝୁରୀ ଅସୁସ୍ଥ ହୋଇପଡ଼ିଥିଲା । ଏହାପରେ ବାପଘର ଲୋକେ ବାଧ୍ୟହୋଇ କୁକୁରଟିକୁ ନେଇ ତା’ର ମାଲିକାଣୀଙ୍କ ପାଖରେ ଛାଡ଼ିଥିଲେ । ତେବେ ନୀଳଚକ୍ର ଲେନରେ ଭଡ଼ାଘରେ ଦମ୍ପତ୍ତିଙ୍କ ସହିତ କୁକୁରଟି ରହିଥିଲା । ବିବାହର ଅଳ୍ପ ଦିନ ପରେ ମହିଳାଙ୍କୁ ତାଙ୍କ ସ୍ୱାମୀ ଯୌତୁକଜନିତ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ । ମାଲିକାଣୀ କାନ୍ଦୁଥିବା ଦେଖି କୁକୁରଟୀ ଯୁବତୀଙ୍କ ସ୍ୱାମୀଙ୍କ ଆଡ଼କୁ ଭୁକିଥିଲା । ଏହାପରେ ଯୁବକ କ୍ରୋଧରେ ଏକ ଛୁରୀ ଧରି ମହିଳାଙ୍କୁ ଭୁସିବାକୁ ଉଦ୍ୟମ କରୁଥିବା ବେଳେ କୁକୁରଟି ଲମ୍ଫ ପ୍ରଦାନ କରିଥିଲା । ଏହାପରେ ଯୁବକଙ୍କ ହାତରୁ ଛୁରିଟି ଖସି ପଡ଼ିଥିଲା । ଏହାପରେ ଯୁବକଙ୍କ ରାଗ ଆହୁରି ବଢ଼ିଯାଇଥିଲା ଓ ସେ କୁକୁରକୁ ଭୁସି ଭୁସି ଅତି ବିଭତ୍ସ ଭାବେ ହତ୍ୟା କରିଥିଲେ । ତେବେ ଏହି ଘଟଣାରେ ମାଲିକାଣୀଙ୍କ ଜୀବନ ବଞ୍ଚିଯାଇଥିବା ବେଳେ କୁକୁରଟି ସବୁଦିନ ପାଇଁ ଏ ଦୁନିଆରୁ ବିଦାୟ ନେଇଥିଲା । କୁକୁରଟିର ତ୍ୟାଗକୁ ନେଇ ଆଜି ଅଞ୍ଚଳରେ ବଡ଼ ଚର୍ଚ୍ଚା ହେଉଛି ।