ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କି ବାତର 116 ତମ ଏପିସୋଡରେ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି । ସେ ପ୍ରଥମେ ଦେଶବାସୀଙ୍କୁ ଏନସିସି ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଏହାପରେ ନିଜ ସମ୍ବୋଧନରେ ନରେନ୍ଦ୍ର ମୋଦୀ କହିଛନ୍ତି, “ ଆଜି ଏକ ବଡ ଦିନ । ଆଜି ଏନସିସି ଦିବସ । ତେବେ ଏନସିସି ବିଷୟ ସାମ୍ନାକୁ ଆସେ ସେତେବେଳେ ସ୍କୁଲ କଲେଜ ଦିନ ମନକୁ ଆସିଯାଏ । ମୁଁ ନିଜେ ମଧ୍ୟ ଏନସିସିରେ ସାମିଲ ରହିଥିଲି । ଏଥିପାଇଁ ମୁଁ ପୁରା ବିଶ୍ବାସର ସହିତ କହିପାରିବି ଯେ, ଏଥିରୁ ମିଳିଥିବା ଅନୁଭବ ମୋ ପାଇଁ ଅମୂଲ୍ୟ ଅଟେ । ଏନସିସି ଯୁବକଙ୍କ ମଧ୍ୟରେ ଅନୁଶାସନ, ନେତୃତ୍ବ ଏବଂ ସେବାର ଭାବନା ସୃଷ୍ଟି କରିଥାଏ । ଦେଶର 5 ହଜାର ସ୍କୁଲ ଓ କଲେଜରେ ଏନସିସି ଯୋଡି ହୋଇ ରହିଛି । ତେବେ ଏନସିସିରେ ପୂର୍ବ ଅପେକ୍ଷା 40 ପ୍ରତିଶତ ବାଳିକାଙ୍କ ସଂଖ୍ୟା ବୃଦ୍ଧି ପାଇଛି । ”
ଯୁବବର୍ଗଙ୍କୁ ରାଜନୀତିରେ ସାମିଲ ହେବା ପାଇଁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯେଉଁମାନଙ୍କର ପରିବାର ବର୍ଗ ରାଜନୀତିରେ ସାମିଲ ନାହାନ୍ତି ସେମାନଙ୍କୁ ସାମିଲ ହେବା ପାଇଁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ । ଯୁବବର୍ଗଙ୍କୁ ରାଜନୀତିରେ ସାମିଲ କରିବା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଉଛି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ସେ କହିଛନ୍ତି । ସେହିପରି ଏକ୍ ପେଡ୍ ମା କେ ନାମ୍ ଅଧୀନରେ ଗଛ ଲଗାଇବା ପାଇଁ କହିଛନ୍ତି ପ୍ରଧାନମନ୍ତ୍ରୀ । ଅନେକ ସାମାଜିକ ଅନୁଷ୍ଠାନ ସ୍ଥାନୀୟ ଆବଶ୍ୟକତା ଅନୁସାରେ ଗଛ ଲଗାଉଛନ୍ତି । ବୃକ୍ଷ ରୋପଣ କରିବା ଦ୍ବାରା ପରିବେଶ ଅନୁକୂଳ ଢଙ୍ଗରେ ଏକ ଇକୋ ସିଷ୍ଟମ ବିକଶିତ ହୋଇଥାଏ ବୋଲି ମୋଦୀ କହିଛନ୍ତି ।