ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନଭେମ୍ବର ୨୫ ତାରିଖ ଅର୍ଥାତ ଆସନ୍ତାକାଲି ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ଏହିଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଯୋଗ ଶୁଣାଣି କରିବେ ନାହିଁ । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଏହା ପୂର୍ବରୁ ଗତ ୧୮ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିଥିଲା । ନଭେମ୍ବର ୧୮ ଓ ୨୫ ତାରିଖ ଦୁଇଦିନ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବା ନେଇ ପୂର୍ବରୁ ସାଧାରଣ ପ୍ରଶାସନ ବିଭାଗ ତରଫରୁ ସୂଚନା ଜାରି କରାଯାଇଥିଲା ।
ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ବାତ୍ୟା ‘ଦାନା ପାଇଁ ଗତ ମାସ ୨୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରଖାଯାଇଥିଲା । ତା’ପରେ ନଭେମ୍ବର ୪ ଓ ୧୧ ତାରିଖରେ ମଧ୍ୟ ଶୁଣାଣି ବନ୍ଦ ରହିଥିଲା । ଦୀର୍ଘବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିଥିବା ବେଳେ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୟୁନିଟ-୫ ସ୍ଥିତ ସରକାରୀ ବାସଭବନରେ ନିୟମିତ ଭାବେ ଅଭିଯୋଗ ଶୁଣାଣି କରୁଛନ୍ତି ।