ଝାଡ଼ଖଣ୍ଡରେ ଇଣ୍ଡିଆ ବ୍ଲକ୍ ଏବଂ ହେମନ୍ତ ସୋରେନଙ୍କ ଦମଦାର ପ୍ରଦର୍ଶନକୁ ନେଇ ସମସ୍ତେ ଚକିତ, ଜାଣନ୍ତୁ କାରଣ

ରାଞ୍ଚି: ଶନିବାର ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ମୋଟ୍ ୮୧ଟି ଆସନ ପାଇଁ ଭୋଟଗଣନା ହୋଇଥିଲା । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM ) ଓ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟବିଜୟୀ ହୋଇଥିଲା । ଝାଡ଼ଖଣ୍ଡ ବିଧାନସଭା ଅସନର ମ୍ୟାଜିକ୍ ନମ୍ବର ୪୧ ଥିବାବେଳେ ଇଣ୍ଡି ମେଣ୍ଟ ୫୬ଟି ଆସନ ହାତେଇଥିଲା । ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଇଣ୍ଡି ବ୍ଲକର ଦମଦାର ପ୍ରଦର୍ଶନ ପଛରେ ଅନେକ ରଣନୀତିକ ଏବଂ ଅନ୍ୟ ପରିସ୍ଥିତି ଜନିତ କାରଣ ରହିଛି ।

୧. JMM ଏବଂ କଂଗ୍ରେସର ଏକତା: ରାଜ୍ୟ ଭୋଟରଙ୍କ ଉପରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଦୃଢ଼ତା ବଜାୟ ରହିଛି । ଆଞ୍ଚଳିତ ଦଳ ବ୍ୟତୀତ JMM କୁ କଂଗ୍ରେସର ସମର୍ଥନ ରହିଥିଲା । କଂଗ୍ରେସ ଦଳ ଦୁର୍ବଳ ନଜର ଆସୁଥିଲେ ମଧ୍ୟ ଆଖିଳ ଭାରତୀୟ ସ୍ତରରେ ଦଳ ଏବେବି ଲୋକଙ୍କ ମନରେ ସ୍ଥିର ରହିଛି । JMM ଏବଂ କଂଗ୍ରେସ ବ୍ୟତୀତ ଇଣ୍ଡିଆ ବ୍ଲକରେ ଅନ୍ତର୍ଭୂକ୍ତ ଅନ୍ୟ ଦଳ ମଧ୍ୟ ଭୋଟରଙ୍କୁ ଏକଜୁଟ୍ କରିବାରେ ସଫଳ ରହିଥିଲା । ଜାତୀୟ ଏବଂ ଆଞ୍ଚଳିକ ସ୍ତରରରେ ଇଣ୍ଡିଆ ବ୍ଲକର ସମନ୍ୱୟ ଯୋଗୁ ଏହା ସମ୍ଭବ ହୋଇପାରିଥିଲା ।

୨. ଆଦିବାସୀ ପ୍ରସଙ୍ଗ ଉପରେ ଫୋକସ୍‌: ଝାଡ଼ଖଣ୍ଡରେ ପ୍ରାୟ ଏକ ତୃତୀୟାଂଶ ଆସନରେ ଆଦିବାସୀ ଏବଂ ଗ୍ରାମୀଣ ଭୋଟର ନିର୍ଣ୍ଣାୟକ ଭୂମିକା ତୁଲାଇଥାନ୍ତି । JMM କ୍ରମାଗତ ଭାବେ ଆଦିବାସୀ ଏବଂ ଗ୍ରାମୀଣ ପ୍ରସଙ୍ଗ ଉପରେ ଫୋକସ୍ କରିଥିଲା । ବନ ଅଧିକାର, ଜମି ସୁରକ୍ଷ ଏବଂ ଆଦିବାସୀ ଅଧିକାର ଦେବା ଭଳି ପ୍ରସଙ୍ଗକୁ ନେଇ ଇଣ୍ଡିଆ ବ୍ଲକ୍ ଭୋଟରଙ୍କ ଭରସା ଜିତିବାରେ ସଫଳ ହୋଇଥିଲା । ଅପରପକ୍ଷରେ ଆଦିବାସୀ ସମ୍ପ୍ରଦାୟ ମଧ୍ୟ ଖୋଲାଖୋଲି ଭାବେ ସେମାନଙ୍କ ସମର୍ଥନ କରିଥିଲେ । ଏହି ସବୁ ପ୍ରସଙ୍ଗକୁ ନେଇ ଭୋଟରଙ୍କୁ ଆକୃଷ୍ଟ କରିବାର ବିଜେପିର ଚେଷ୍ଟା ବିଫଳ ରହିଥିଲା ।

୩. ଲୋକଙ୍କ ସହାନୁଭୂତି: ଅର୍ଥ ହେରଫେର୍ ମାମଲାରେ ଇଡି ଏବଂ ସିବିଆଇ କାର୍ଯ୍ୟାନୁଷ୍ଠାନ ପରେ ହେମନ୍ତ ସୋରେନଙ୍କୁ ଜେଲ ଯିବାକୁ ପଡ଼ିଥିଲା । ଦୀର୍ଘ ମାସ ପରେ ଜେଲରୁ ମୁକୁଳିଥିବା ହେମନ୍ତଙ୍କ ପ୍ରତି ଲୋକଙ୍କ ସହାନୁଭୂତି ରହିଥିଲା । ହେମନ୍ତ ଜେଲରେ ଥିବା ସମୟରେ ତାଙ୍କ ପତ୍ନୀ କଳ୍ପନା ସୋରେନ୍ ପୀଡ଼ିତ କାର୍ଡ଼ ଖେଳିଥିଲେ । ସେହି ସମୟରେ ବିଜେପି ହେମନ୍ତ ସରକାରଙ୍କୁ ଟାର୍ଗେଟ କରି କ୍ଷମତାକୁ ଆସିବା ପାଇଁ ଏବଂ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ଚାଲ୍ ଖେଳିଥିଲେ କିନ୍ତୁ ସବୁ ଚାଲ୍ ଓଲଟା ପଡ଼ିଗଲା । ଅପରପକ୍ଷରେ ହେମନ୍ତ ସରକାରଙ୍କ ମହିଳାଙ୍କ ପାଇଁ ଯୋଜନ. ରୋଜଗାର ଏବଂ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଭୋଟରଙ୍କୁ ଆକୃଷ୍ଟ କରିଥିଲା ।

୪. ବିଜେପିର ଦୁର୍ବଳ ରଣନୀତି: ନିର୍ବାଚନ ଲଢ଼ିବାରେ ବିଜେପି ଶୀର୍ଷ ଦଳ ଭାବେ ବିବେଚିତ କରାଯାଇଛି । କିନ୍ତୁ ଝାଡ଼ଖଣ୍ଡରେ ବିଜେପିର ନିର୍ବାଚନୀ ରଣନୀତିରେ ସ୍ପଷ୍ଟତା ଏବଂ ଦୃଢ଼ତାରେ ଅଭାବ ଦେଖିବାକୁ ମିଳିଥିଲା । ଠିକ୍ ସମୟରେ ଆସନ ବଣ୍ଟନ ଏବଂ ପ୍ରାର୍ଥୀ ଚୟନରେ ଦେଖାଦେଇଥିବା ଦ୍ୱନ୍ଦ୍ୱ ଯୋଗୁଁ ଦଳ ପାଇଁ କ୍ଷତି ସାବ୍ୟସ୍ତ ହୋଇଥିଲା । ଏହା ବ୍ୟତୀତ ବିଜେପି ସ୍ଥାନୀୟ ପ୍ରସଙ୍ଗ ଉପରେ ଫୋକସ୍ କରିବାରେ ବିଫଳ ହୋଇଥିଲା ସେଥିପାଇଁ ଭୋଟରଙ୍କ ସହ ସମ୍ପର୍କ ମଧ୍ୟ ଦୁର୍ବଳ ରହିଥିଲା । ଅପରପକ୍ଷରେ ଇଣ୍ଡିଆ ବ୍ଲକର ସନ୍ତୁଳିତ ଆସନ ବଣ୍ଟନ ଭୋଟ୍ ବିଭାଜନକୁ ରୋକିଥିଲା । ସାମୁହିକ ରାଲି ଏବଂ ପ୍ରଚାର ଅଭିଯାନ ମେଣ୍ଟ ମଧ୍ୟରେ ଥିବା ଏକତାକୁ ପ୍ରଦର୍ଶନ କରିଥିଲା । ଏହା ଭୋଟରଙ୍କ ବିଶ୍ୱାସ ଜିତିବାରେ ସହାୟକ ହୋଇଥିଲା ।