ରାଜସ୍ଥାନ ଭୂଇଁରେ ଫଳିବ ସୁନା, ଖଣି ଖନନ ପାଇଁ କମ୍ପାନୀ ଜମା କଲା ୧୦୦ କୋଟି

ଜୟପୁର: ରାଜସ୍ଥାନରେ ଫଳିବ ସୁନା । ରାଜ୍ୟର ଆଦିବାସୀ ଅଞ୍ଚଳରୁ ସବୁଠୁ ବଡ଼ ଏକ ହଜାର ଟନ୍ ସୁନା ଖଣି ଠାବ କରାଯାଇଛି । ମାଇନିଂ ବିଭାଗ ପକ୍ଷରୁ ନିଲାମ ଆରମ୍ଭ ହୋଇଯାଇଛି । ବାଂସବାଡାର ୯.୪ ଗର୍ବ କିଲୋମିଟରରେ ୨୨୨.୩୯ ଟନ୍ ସୁନା ଥିବା ଜଣାପଡ଼ିଛି । ପ୍ରଥମେ ଜଗପୁରା ଏବଂ ଭୁକିୟାରେ ଥିବା ଛୋଟ ଖଦାନର ନିଲାମୀ କରାଯାଇଥିଲା । ଏହି ଖଣିକୁ ନିଲାମରେ ନେବା ପାଇଁ ଏକ କମ୍ପାନୀ ୧୦୦ କୋଟି ଟଙ୍କା ଜମା କରିସାରିଥିବା ଖଣି ସମ୍ପଦ ବିଭାଗ ମୁଖ୍ୟ ଅଧିକାରୀ ଗୌରବ ମିଣା କହିଛନ୍ତି ।

ସରକାରଙ୍କ ପକ୍ଷରୁ କମ୍ପାନୀକୁ ଏଲ୍ଓଆଇ ଜାରି ହେବା ପରେ କମ୍ପାନୀ ପକ୍ଷରୁ ଖଣି ଖନନ କାର୍ଯ୍ୟ ଆରମ୍ଭ ହେବ । ଏହି କମ୍ପାନୀ ସରକାରଙ୍କ ସହିତ ୮୦୦୦ କୋଟିର ଏମଓୟୁ ସ୍ୱାକ୍ଷର କରିଛି । ରାଜସ୍ଥାନ ବ୍ୟତୀତ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଝାରଖଣ୍ଡ ସୁନା ଖଣି ଖନନ ଦାୟିତ୍ୱ ଉକ୍ତ କମ୍ପାନୀ ହାତରେ ରହିଛି । କର୍ଣ୍ଣାଟକର ଭୂ-ବିଜ୍ଞାନୀ ଡା. ବି.ଏନ. ବାସୁଦେବଙ୍କ ଟିମ୍ଙ୍କୁ ସୁନା ଖଣି ଖୋଜିବା ଦାୟିତ୍ୱ ଦିଆଯାଇଥିଲା । ବାସୁଦେବଙ୍କ ଦ୍ୱାରା ପ୍ରଦତ ରିପୋର୍ଟ ମୁତାବକ ପ୍ରତିବର୍ଷ ବାଂସବାଡାରୁ ଆରମ୍ଭ କରି ଉଦୟପୁରର ସଲୁମ୍ବର ପର୍ଯ୍ୟନ୍ତ ୨୫ ଟନ୍ର ସୁନା ବାହାରିବ । ଆଦିବାସୀ ଜନଜାତି ରହୁଥିବା ୨୬ଟି ଗାଁର ୬୦ ସ୍ଥାନରେ ସ୍ୱର୍ଣ୍ଣ ଭଣ୍ଡାର ଥିବା ଜଣାପଡ଼ିଛି ।

ଜଗପୁରା-ଭୁତିୟା ଅଞ୍ଚଳ ସବୁଠୁ ବଡ଼ ହୋଇଥିବାବେଳେ ସଲୁମ୍ବରର ଡୁଗୋଚାଠାରୁ ଆରମ୍ଭ କରି ଘାଟୋଲ ପର୍ଯ୍ୟନ୍ତ ୧୨୭୦ କିଲୋମିଟରରେ ସୁନା ଖଣି ଖୋଳିବା ନେଇ ସରକାରଙ୍କ ଜୋରଦାର ଯୋଜନା ଚାଲିଛି । ୧୯୯୦ରେ ପ୍ରଥମଥର ସ୍ଥାନୀୟ ଅଞ୍ଚଳରେ ସୁନା ଖଣି ଥିବା ନେଇ ସର୍ଭେ ଆରମ୍ଭ କରାଯାଇଥିଲା । ପାଖାପାଖି ୩୩ ବର୍ଷ ପରେ ସୁନା ଖଣି ଖନନ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ସ୍ଥାନୀୟ ଅଞ୍ଚଳରୁ ସୁନା ଉତ୍ପାଦନ ପାଇଁ ଆହୁରି ୩ରୁ ୪ ବର୍ଷ ଲାଗିବ ବୋଲି ଆଶା କରାଯାଉଛି ।