ନୂଆଦିଲ୍ଲୀ: ଦେଶର କୃଷକମାନଙ୍କୁ କେନ୍ଦ୍ର ସରକାର ଏକ ବଡ଼ ଉପହାର ଦେଇଛନ୍ତି । ଜାତୀୟ ପ୍ରାକୃତିକ କୃଷି ମିଶନଙ୍କୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏଥିପାଇଁ କେନ୍ଦ୍ର ସରକାର ୨୪୮୧ କୋଟି ଟଙ୍କା ବ୍ୟୟ କରିବେ । କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ବାବଦରେ ପତ୍ରକାରମାନଙ୍କୁ ସୂଚନା ଦେଇଛନ୍ତି । ଏହି ମିଶନକୁ ଅନ୍ତିମ ରୂପ ଦେବା ଓ କାର୍ଯ୍ୟକାରିତା ପାଇଁ ଅନେକ ଯୋଜନା ପ୍ରସ୍ତୁତ କରାଯାଇଛି । ପିଏମ୍ ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାର କୃଷକଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ଅଟନ୍ତି । ‘ରାଷ୍ଟ୍ରୀୟ ପ୍ରାକୃତିକ କୃଷି ମିଶନ’ (ଏନଏମଏନଏଫ)କୁ ମଞ୍ଜୁରୀ ଦେଇ କେନ୍ଦ୍ର ସରକାର ଏ ସମ୍ବନ୍ଧରେ କୃଷକମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ଏହାଦ୍ୱାରା କୃଷକଙ୍କ ଜମିର ଉର୍ବରତା ବଜାୟ ରହିବ ଓ ସାର ପ୍ରୟୋଗ କରାଯିବ ନାହିଁ ।
ଏହା ଏକ ପଥ-ପ୍ରଦର୍ଶକ ନିଷ୍ପତ୍ତି ହୋଇଥିବା ବେଳେ ଏହା ଦ୍ୱାରା ଦେଶର ଜମିରେ ରାସାୟନିକ ସାମଗ୍ରୀ ଉପଯୋଗରୁ ମୁକ୍ତି ମିଳିବ । ଏଥିସହିତ କୃଷକଙ୍କର ବିକାଶ କରିବା କ୍ଷେତ୍ରରେ ଏହା ଯଥେଷ୍ଟ ସହାୟକ ହୋଇ ପାରିବ । ଏହି ମିଶନ ସାରା ଦେଶରେ ମିଶନ ମୋଡ଼ରେ ପ୍ରାକୃତିକ କୃଷିକୁ ଆଗକୁ ନେବ । ୧୫ତମ ଅର୍ଥ କମିଶନ (୨୦୨୫-୨୬) ପର୍ଯ୍ୟନ୍ତ ଏହି ଯୋଜନାରେ ମୋଟ ୨୪୮୧ କୋଟି ଟଙ୍କା ବ୍ୟୟ କରାଯିବ । ସେଥିମଧ୍ୟରୁ ୧୫୮୪ କୋଟି ଟଙ୍କା କେନ୍ଦ୍ର ସରକାର ଓ ୮୯୭ କୋଟି ଟଙ୍କା ରାଜ୍ୟ ସରକାର ବହନ କରିବେ । କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧିନରେ ଏକ ସ୍ୱତନ୍ତ୍ର କେନ୍ଦ୍ର ପ୍ରଯୋଜିତ ଯୋଜନା ଭାବେ ସାରା ଦେଶଷର ମିଶନ ମୋଡ଼ରେ ପ୍ରାକୃତିକ ଚାଷକୁ ଗୁରୁତ୍ୱ ଦେବାକୁ ଏହି ମିଶନର ଶୁଭାରମ୍ଭ କରାଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ।