ବାଂଲାଦେଶୀ ନାବାଳିକା ଘଟଣା: ଲକ୍ଷ୍ମୀସାଗର ଅଞ୍ଚଳରୁ ଆଉ ୨ ଜଣଙ୍କୁ ଗିରଫ କଲା ପୋଲିସ

କଟକ: (ଓଡ଼ିଶା ଭାସ୍କର) ବାଂଲାଦେଶୀ ନାବାଳିକା ଘଟଣାରେ ଆଉ ୨ ଜଣଙ୍କୁ ଉଠାଇନେଲା ପୋଲିସ । ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରୁ ୨ ଜଣଙ୍କୁ ଉଠାଇ ନେଲା କମିଶନରେଟ୍ ପୋଲିସ । ୨ ବ୍ୟକ୍ତିଙ୍କୁ କଟକ ମଧୁପାଟଣା ଥାନା ପୋଲିସର ପଚରାଉଚରା ଜାରି ରହିଛି । ମାଜିଷ୍ଟ୍ରେଟଙ୍କ ନିକଟରେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଛି । ତେବେ ସବୁଠୁ ବଡ଼ କଥା ହେଲା ବାଙ୍ଗଲାଦେଶୀ ନାବାଳିକା ଦେହଜୀବୀ ମାମଲାକୁ ଗୁରୁତର ସହ ନେଇଛି କମିସନରେଟ୍ ପୋଲିସ । ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ପ୍ରଥମେ ଏହି କଳା କାରନାମା ପଛରେ ଥିବା ଏକ ଦମ୍ପତିକୁ କାବୁ କରି ନେଇଥିଲା ।

ଏହି ଦମ୍ପତି କଟକ ସଦର ଅଞ୍ଚଳର । ଏହି ଦଲାଲ ଦମ୍ପତିଙ୍କୁ ମଧୁପାଟଣା ପୋଲିସ ଉଠାଇ ନେଇଛି । ଦମ୍ପତିଙ୍କ ସମ୍ପର୍କରେ ବାଙ୍ଗଲାଦେଶୀ ନାବାଳିକା ସୂଚନା ଦେଇଥିଲେ । ପୋଲିସ ଉଭୟଙ୍କୁ ନେଇ ଏହି କାରବାର ପଛରେ ଆଉ କିଏ ଅଛନ୍ତି ତାକୁ ନେଇ ଖୋଳତାଡ ଆରମ୍ଭ କରିଛି । କଟକ ସଦର ଥାନା ଅଧୀନରେ ରହୁଥିବା ଏହି ଗିରଫ ଦମ୍ପତି ଓଡିଶାରେ ଦେହ ବ୍ୟବସାୟ କାରବାର ଚଳାଉଥିଲେ । ଏମାନେ ବାଙ୍ଗଲାଦେଶରୁ ସୁନ୍ଦରୀ ନାବାଳିକାଙ୍କୁ ଚାକିରି ଦେବାର ପ୍ରଲୋଭନ ଦେଖାଇ ପଶ୍ଚିମ ବଙ୍ଗ ଆଣିଥିଲେ । ସେଠୁ ଓଡିଶା ଅଣାଯାଉଥିଲା ।

ପୋଲିସକୁ ନାବାଳିକା ନିଜ ଅଙ୍ଗେନିଭା କଥା କହିବା ପରେ ଏହି ଦମ୍ପତିଙ୍କୁ କାବୁ କରିଛି ପୋଲିସ । ଦମ୍ପତି ପୋଲିସକୁ ଏହି ଘଟଣାରେ ଆଉ ଜଣେ ମାଷ୍ଟର ମାଣ୍ଡ ଥିବା କହିଛନ୍ତି । ଆହୁରି ଅନେକ ବାଙ୍ଗଲାଦେଶୀ ଯୁବତୀ ଓଡିଶାରେ ଦେହ ବ୍ୟବସାୟରେ ଥିବା ଜଣାପଡିଛି । ତେବେ ମଧୁପାଟଣାର ଶ୍ରୀକୋରୁଆଁ ଅଞ୍ଚଳରୁ ପୋଲିସ ନାବାଳିକାକୁ ପାଇଥିଲା । ନାବାଳିକା ପୋଲିସକୁ କହିଥିଲା କିପରି ତାକୁ ଚାକିରି ଦେବା ବାହାନାରେ ଆଣି ଏଠି ନିର୍ଯାତନା ଦେଉଛନ୍ତି । ଦିନକୁ ୧୫ରୁ ୧୬ ଜଣ ଲୋକ ତାର ଶୋଷଣ କରୁଥିବା କହିଥିଲା ଝିଅଟି । ଯାହା ପୋଲିସର ନିଦ ହଜେଇ ଦେଇଛି ।