ବର୍ଲିନ: ଜର୍ମାନ କାର୍ ନିର୍ମାଣକାରୀ କମ୍ପାନୀ ଅଡି ନିଜ ଆଇକନିକ୍ ଲୋଗୋରେ ପରିବର୍ତ୍ତନ କରିଛି । ଚାରି ଗୋଲାକୃତିକୁ ସଂଯୋଗ କରି ଥିବା ପ୍ରତୀକରେ କମ୍ପାନୀ କରିଛି ପରିବର୍ତ୍ତନ । ବିନା ଲୋଗୋରେ କେବଳ କ୍ୟାପିଟାଲ ଲେଟରରେ ଅଡି ବୋଳି ଲେଖାଯାଇଛି । ଏହାଛଡ଼ା ରେକ୍ଟାଙ୍ଗୁଲାର ଲାଇଟ୍ ବାର ଉପରେ ଅଡି ଲେଖାଥିବା ହିଁ ଦେଖାଯାଉଛି । ସୂଚନା ଅନୁସାରେ ଚାଇନାର ସାଂଘାଇରେ ପରିବର୍ତ୍ତିତ ଅଡି ଲୋଗୋ ଦେଖିବାକୁ ମିଳୁଛି । ଅନ୍ୟ କେଉଁ ଦେଶ ପାଇଁ ଏହି ବ୍ରାଣ୍ଡ ନିଜ ଲୋଗୋ ପରିବର୍ତ୍ତନ କରିନାହିଁ । ସୋସିଆଲ ମିଡିଆରେ ଏହାର ଫଟୋ ଭାଇରାଲ ହେବା ପରେ ୟୁଜର୍ସ ଏହାକୁ ନାପସନ୍ଦ କରିଛନ୍ତି । କିଛି ୟୁଜର୍ସ ଏହାକୁ ଜାଗୁଆର ଲୋଗୋ ପରିବର୍ତ୍ତନ ସହିତ ଯୋଡ଼ି ଉପହାସ ମଧ୍ୟ କରିଛନ୍ତି । ଅଧିକାଂଶ ଲୋକଙ୍କୁ କମ୍ପାନୀର ପ୍ରତୀକ ପରିବର୍ତ୍ତନ ନିଷ୍ପତ୍ତି ପସନ୍ଦ ଆସିନାହିଁ ।
ଏ ନେଇ କମ୍ପାନୀ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି । କମ୍ପାନୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି କହିଛି ଯେ, ଜର୍ମାନୀ କମ୍ପାନୀ ଅଡି ଏବଂ ଚାଇନାର ସାଇକ୍ ମିଳିତ ଭାବେ ଇଲେକ୍ଟିକ୍ ଅଡି ନିର୍ମାଣ ଆରମ୍ଭ କରିଦେଇଛନ୍ତି । ଲୋଗୋ ପରିବର୍ତ୍ତନର ମୁଖ୍ୟ କାରଣ ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା । ଚାଇନାରେ କାର କିଣୁଥିବା ଅଧିକାଂଶ ଲୋକଙ୍କ ଭିତରେ ୩୦ରୁ ୩୩ ବର୍ଷ ବୟସ ହୋଇଥିବାବେଳେ କମ୍ପାନୀ ପାଇଁ ସେମାନେ ମୁଖ୍ୟ ଗ୍ରାହକ । ସେମାନେ କାର୍ରେ ନୂଆ ଟେକନିକ ସାଙ୍ଗକୁ ଫିଚର ଦରକାର କରୁଥିବାବେଳେ ସେମାନଙ୍କ ଆଗ୍ରହକୁ ଗୁରୁତ୍ୱ ଦେଇ ଲୋଗୋରେ ପରିବର୍ତ୍ତନ କରାଯାଇଥିବା ଅଡି କହିଛି । ଗତ ୯ ମାସ ଭିତରେ କମ୍ପାନୀ ୧୫ ହଜାର ଅଡି ଇଭି କାର୍ ଚାଇନାରେ ବିକ୍ରି କରିସାରିଲାଣି । ଚାଇନାର ଲୋକାଲ୍ ଇଭି ନିଓ ଏବଂ ଜିପେଙ୍ଗର ବିକ୍ରି ଅଡି ତୂଳନାରେ ୧୦ ଗୁଣା ଅଧିକ ରହିଛି । ୧୯୩୦ରୁ ଜର୍ମାନ୍ କାର୍ ନିର୍ମାଣକାରୀ କମ୍ପାନୀ ଅଡିର ଲୋଗୋ ଚାରି ଗୋଲାକୃତି ଥିବାବେଳେ ପ୍ରଥମଥର ଲାଗି ଲୋଗୋରେ ପରିବର୍ତ୍ତନ ହୋଇଛି ।