ନଭେମ୍ବର ୨୬ରେ ଆଗତ ହେବ ଅତିରିକ୍ତ ବଜେଟ୍: ଆସନ୍ତାକାଲି ଠାରୁ ଆରମ୍ଭ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ । ଏହାପୂର୍ବରୁ ଗତ ୨୩ରେ ମନ୍ତ୍ରୀ ପରିଷଦ ବୈଠକ ବସିଥିବା ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା । ୨୬ରେ ଅତିରିକ୍ତ ବଜେଟ୍ ଆଗତ ହେବ । ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଥିବା ଶୀତ ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ । ଏହାପରେ ଡିସେମ୍ବର ୫ରେ ତାହା ବିଧାନସଭାରେ ଗୃହିତ ହେବ । ବିଧାନସଭାର ଶୀତକାଳୀନ ଅଧିବେଶନ ନଭେମ୍ବର ୨୬ରୁ ଆରମ୍ଭ ହୋଇ ଡିସେମ୍ବର ୩୧ରେ ସମାପ୍ତ ହେବ ।

ଏଥର ବିଧାନସଭର ଶୀତକାଳୀନ ଅଧିବେଶନରେ ଶାସକ ବିଜେପିକୁ ଘେରିବାକୁ ବିରୋଧୀ ବିଜେଡି ଓ କଂଗ୍ରେସ ପ୍ରସ୍ତୁତି ହୋଇରହିଛନ୍ତି । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଆମ୍ବ ଟାକୁଆ ଜାଉ ଖାଇ ୩ ମହିଳାଙ୍କ ମୃତ୍ୟୁ, ‘ଆମ ଓଡ଼ିଶା-ନବୀନ ଓଡ଼ିଶା’ ଯୋଜନା ବନ୍ଦ, ଚିଟ୍ଫଣ୍ଡ ଜମାକାରୀଙ୍କ ଅର୍ଥ ଫେରସ୍ତ ଆଦି ଅନେକ ପ୍ରସଙ୍ଗ ବିରୋଧୀଙ୍କ ପାଖରେ ରହିଛି । ତେବେ ବିରୋଧୀଙ୍କୁ ଶାସକ ଦଳ କିପରି ମୁକାବିଲା କରୁଛି ତା’ ଉପରେ ରାଜନୈତିକ ବିଶେଷଜ୍ଞମାନେ ନଜର ରଖିଛନ୍ତି ।

ସୂଚନାଯୋଗ୍ୟ ଯେ, ଶୀତକାଳୀନ ଅଧିବେଶନ ଆରମ୍ଭରୁ ଆଜି ବିଜେପି ବିଧାୟକ ଦଳ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ବସିଥିଲା । ଏଥିସହିତ ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ସାଂଗଠନିକ ସମ୍ପାଦକ ମାନସ ମହାନ୍ତି, ସମସ୍ତ ବିଧାୟକ ଓ ମନ୍ତ୍ରୀ ସାମିଲ ହୋଇଥିଲେ । ଚଳିତ ବିଧାନସଭା ଅଧିବେଶନ ବିଭିନ୍ନ ପ୍ରସଙ୍ଗକୁ ନେଇ ଚଳଚଞ୍ଚଳ ହେବାର ସମ୍ଭାବନା ରହିଛି ।