ବଦଳିବ ପାଗର ମିଜାଜ, ଆସନ୍ତା 28ରୁ ବର୍ଷା! ଅନେକ ସ୍ଥାନରେ କମିବ ତାପମାତ୍ରା

ଭୁବନେଶ୍ବର: ବଦଳିବ ପାଗର ମିଜାଜ୍ । ତାପମାତ୍ରା ହେବ ପରିବର୍ତ୍ତନ । ଆସନ୍ତା 28 ତାରିଖରୁ 1 ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କାରଣରୁ ରାଜ୍ୟରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତରେ ପରିଣତ ହୋଇଛି । ଦକ୍ଷିଣ କେନ୍ଦ୍ରୀୟ ଭାଗରେ ଏହି ଅବପାତ ବର୍ତ୍ତମାନ ସକ୍ରିୟ ହୋଇ ରହିଛି । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଜି ଗଭୀର ଅବପାତରେ ପରିଣତ ହେବ । କିନ୍ତୁ ଏହାର ସିଧାସଳଖ ପ୍ରଭାବ ଓଡିଶା ଉପରେ ପଡିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଏହି ଅବପାତ ତାମିଲନାଡୁ ଏବଂ ଶ୍ରୀଲଙ୍କା ଆଡକୁ ମୁହାଁଇବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । କିନ୍ତୁ ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ବର, ଜଗତସିଂହପୁରର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ତେବେ ଓଡିଶାରେ ପାଗ ମେଘୁଆ ରହିପାରେ ।

ତେବେ ରାଜ୍ୟରେ ବର୍ତ୍ତମାନ ଶୀତର ଲହରୀ ଜାରି ରହିଛି । ଅନେକ ସ୍ଥାନରେ ଖସୁଛି ତାପମାତ୍ରା । ଅନେକ ସ୍ଥାନରେ ତାପମାତ୍ରା 15 ଡିଗ୍ରୀ ତଳେ ରହୁଛି । କୋରାପୁଟ, ଜି ଉଦୟଗିରି, ଫୁଲବାଣିରେ ତାପମାତ୍ରା ଦିନକୁ ଦିନ କମିବାରେ ଲାଦିଛି ।  ଲଘୁଚାପ କିମ୍ବା ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ଏବଂ ଏହି ସିଷ୍ଟମ ଉପରେ ଆଇଏମଡିର ସ୍ବତନ୍ତ୍ର ନଜର ରହିଥିବା କୁହାଯାଇଛି ।