ନୂଆଦିଲ୍ଲୀ: ଠପ୍ ହୋଇଯାଇଛି ପାକିସ୍ତାନ । ପାକିସ୍ତାନରେ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକମାନେ ସୋମବାର ରାଜଧାନୀ ଇସଲାମବାଦ ଅଭିମୁଖେ ଯାତ୍ରା କରି ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । ତେବେ ଏହି ସମୟରେ 5ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ ଅଧିକାରୀଙ୍କ ସମେତ ଅନେକ ଆହତ ହୋଇଥିବା ଜଣାପଡିଛି । ବିକ୍ଷୋଭକାରୀମାନେ ଆଗକୁ ବଢିବାକୁ ପ୍ରତିଜ୍ଞା କରିଥିବା ବେଳେ ସରକାରଙ୍କ ପକ୍ଷରୁ ଇସଲାମାବାଦରେ ସେନା ମୁତୟନ କରାଯାଇଛି ।
ଇମ୍ରାନ ଖାନଙ୍କୁ ନେଇ କରାଯାଉଥିବା ପ୍ରତିବାଦର ନେତୃତ୍ବ ନେଇଛନ୍ତି ତାଙ୍କ ପତ୍ନୀ ବିଶାରା ବିବି । ତାଙ୍କ ନେତୃତ୍ୱରେ ଏହି ପ୍ରତିବାଦ ରବିବାର ଠାରୁ ଆରମ୍ଭ ହୋଇ ସୋମବାର ସନ୍ଧ୍ୟା ସୁଦ୍ଧା ଇସଲାମାବାଦରେ ପହଞ୍ଚି ଥିଲେ । ମଙ୍ଗଳବାର ଦିନ, ବିକ୍ଷୋଭକାରୀମାନେ ରାଜଧାନୀର ଅନେକ ରଣନୀତିକ ଅଟ୍ଟାଳିକା ନିକଟରେ ଡି-ଚକ୍ ଅଭିମୁଖେ ଯାତ୍ରା ଆରମ୍ଭ କରି ପ୍ରତିବାଦ କରୁଥିବା ନେଇ ଖବର ସାମ୍ନାକୁ ଆସୁଛି । ପାକିସ୍ତାନ ତେହେରିକ୍-ଇ-ଇନସାଫ୍ କର୍ମଚାରୀମାନେ ରାଜଧାନୀ ଆଡକୁ ଅଗ୍ରସର ହେବାପରେ ସହରରେ ଉତ୍ତେଜନା ଦେଖାଯାଇଥିଲା । ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ହେବା ସହିତ ଅନେକ ଲୋକ ଆହତ ମଧ୍ୟ ହୋଇଥିଲେ । ତେବେ ଏଭଳି ପରିସ୍ଥିତିକୁ ଦେଖି ସରକାର ଏହାକୁ ବନ୍ଦ କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଇମ୍ରାନ ଖାନଙ୍କ ସ୍ତ୍ରୀ ଏହାକୁ ପ୍ରତ୍ୟାଖାନ କରି ଜିଦରେ ଅଟଳ ରହିଥିଲେ । ଯେପର୍ଯ୍ୟନ୍ତ ଇମ୍ରାନ୍ ସେମାନଙ୍କ ସହିତ ଅଛନ୍ତି ସେ ପର୍ଯ୍ୟନ୍ତ ସରକାର ବିରୋଧୀ ରାଲି ବନ୍ଦ ହେବ ନାହିଁ ବୋଲି କହିଛନ୍ତି ବିଶରା । ଇମ୍ରାନ ଖାନଙ୍କୁ ଜେଲରୁ ବାହାର କରିବା ମୁଖ୍ୟ ଦାବି ରହିଛି ।