ସବୁ କିଣିଲା, Captain କିଣିବାକୁ ଭୁଲିଗଲା KKR! କିଏ ହେବ ଚମ୍ପିଆନ୍ ଦଳର ଅଧିନାୟକ?

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ନିଲାମୀ ପ୍ରକ୍ରିୟା ଶେଷ ହୋଇସାରିଛି । ମେଗା ଅକ୍ସନରେ ପ୍ରତ୍ୟେକ ଦଳ ନିଜ ନିଜ ସ୍କ୍ୱାଡ ପ୍ରସ୍ତୁତ କରି ସାରିଛନ୍ତି । କିନ୍ତୁ ପୂର୍ବ ବର୍ଷର ଚମ୍ପିଆନ୍ କୋଲକାତା ନାଇଟ ରାଇଡର୍ସ ମୋଟ ୨୧ ଜଣ(ରିଟେନ୍ ଖେଳାଳିଙ୍କ ସହିତ) ଖେଳାଳିଙ୍କୁ ସାମିଲ କରିଛି । କିନ୍ତୁ ଏହି ମେଗା ଅକ୍ସନ ନିଲାମୀରେ ଦଳ ସବୁଠାରୁ ବଡ଼ ଭୁଲ କରିଛି । ଆଗାମୀ ସିଜନ ପାଇଁ ଚମ୍ପିଆନ୍ ଅଧିନାୟକ ଶ୍ରେୟସ ଆୟରଙ୍କୁ ଦଳ ରିଲିଜ କରିଥିବା ବେଳେ ତାଙ୍କ ସ୍ଥାନରେ ଅନ୍ୟ କୌଣସି ଅଧିନାୟକଙ୍କୁ ଦଳରେ ସାମିଲ କରିନାହିଁ । ଯୁବ କ୍ରିକେଟରଙ୍କୁ ଦଳରେ ସାମିଲ କରିବା ବେଳେ ଅଧିନାୟକ ପଦ ପାଇଁ ବିକଳ୍ପ ପାଇନାହିଁ କୋଲକାତା । ତେଣୁ ଏବେ ପ୍ରଶ୍ନ ଉଠିଛି ଆଗାମୀ ସିଜନରେ କିଏ ହେବ ଦଳର ଅଧିନାୟକ?

ରୋଭମନ ପାୱେଲ: ଆଇପିଏଲ-୨୦୨୫ ପାଇଁ ୱେଷ୍ଟ ଇଣ୍ଡିଜ ଷ୍ଟାର କ୍ରିକେଟର ରୋଭମନ ପାୱେଲଙ୍କୁ ଦଳରେ ସାମିଲ କରିଛି କୋଲକାତା ନାଇଟ ରାଇଡର୍ସ । ତେଣୁ ଟୁର୍ଣ୍ଣାମେଣ୍ଟ ପାୱେଲ ଦଳ ପାଇଁ ପ୍ରଥମ ବିକଳ୍ପ ହୋଇପାରନ୍ତି । ୱେଷ୍ଟ ଇଣ୍ଡିଜ ପାଇଁ ସୀମିତ ଓଭର କ୍ରିକେଟରେ ଅଧିନାୟକ ଦାୟିତ୍ୱ ତୁଲାଇ ସାରିଛନ୍ତି ରୋଭମନ ପାୱେଲ ।

କ୍ୱିଣ୍ଟନ ଡି’ କକ୍: ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର କ୍ୱିଣ୍ଟନ ଡି’କକ୍ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ଆସନ୍ତା ସିଜନ ପାଇଁ ଶ୍ରେୟସଙ୍କ ସ୍ଥାନରେ ତାଙ୍କୁ ମଧ୍ୟ ଅଧିନାୟକ ଦାୟିତ୍ୱ ଦେଇପାରେ କୋଲକାତା । ପୂର୍ବରୁ ଅଧିନାୟକ ଦାୟିତ୍ୱ ତୁଲାଇବାରେ ତାଙ୍କ ଭଲ ଅଭିଜ୍ଞତା ମଧ୍ୟ ରହିଛି ।

ରିଙ୍କୁ ସିଂହ: ଦଳର ଷ୍ଟାର ଅଲରାଉଣ୍ଡର ରିଙ୍କୁ ସିଂହ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ଆଇପିଏଲ-୨୦୨୫ ପାଇଁ କୋଲକାତା ନାଇଟ ରାଇଡର୍ସ ରିଙ୍କୁ ସିଂଙ୍କୁ ନେତୃତ୍ୱ ପ୍ରଦାନ କରିପାରେ ବୋଲି ଚର୍ଚ୍ଚା ହେଉଛି । ଯୁବ ଷ୍ଟାର ଅଲରାଉଣ୍ଡର ୟୁପି ଟି-୨୦ ଲିଗ ୨୦୨୪ରେ ମେରଠର ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ । ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ ପାଇଁ କୋଲକାତା ତାଙ୍କୁ ଏହି ଦାୟିତ୍ୱ ଦେଇପାରେ ।

ଅଜିଙ୍କ୍ୟ ରାହାଣେ: ଷ୍ଟାର ଓପନର ଅଜିଙ୍କ୍ୟ ରାହାଣେ ପୁଣିଥରେ କୋଲକାତା ନାଇଟ ରାଇଡର୍ସକୁ କମବ୍ୟାକ କରିଛନ୍ତି । ଚେନ୍ନାଇ ସୁପର କିଙ୍ଗସ ପାଇଁ ୩ଟି ସିଜନରେ ବିସ୍ଫୋରକ ବ୍ୟାଟିଂ କରିବା ପରେ କୋଲକାତା ତାଙ୍କୁ ପୁଣିଥରେ ଦଳରେ ସାମିଲ କରିଛି । ଏହାପୂର୍ବରୁ ରାହାଣେ ରାଜସ୍ଥାନ ରୋୟଲ୍ସ ତରଫରୁ ଅଧିନାୟକ ଦାୟିତ୍ୱ ତୁଲାଇ ସାରିଛନ୍ତି । ଏହାବ୍ୟତୀତ ଟିମ ଇଣ୍ଡିଆ ପାଇଁ ମଧ୍ୟ ସେ ଅନେକ ମ୍ୟାଚ ଏବଂ ସିରିଜରେ ନେତୃତ୍ୱ ନେଇଛନ୍ତି ରାହାଣେ । ତେଣୁ କୋଲକାତା ରାହାଣେଙ୍କୁ ଅଧିନାୟକ ଭାବରେ ଗୁରୁଦାୟିତ୍ୱ ଦେଇପାରେ । ତେବେ ଏହାର ସମ୍ଭାବନା ଖୁବ କମ୍ ରହିଛି ।