ଚତୁର୍ଥ ଥର ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ୍

ରାଞ୍ଚି: ଚତୁର୍ଥ ଥର ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ୍ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ୍ ରାଞ୍ଚିରେ ଏକ ରାଲିରେ ଝାଡ଼ଖଣ୍ଡର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ହେମନ୍ତ ସୋରେନ ଚତୁର୍ଥ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ତାଙ୍କ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ୮୧ଟି ଆସନରୁ ୩୪ଟିରେ ବିଜୟୀ ହୋଇଛନ୍ତି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ରାଜ୍ୟରେ ମାତ୍ର ୪୩ଟି ଆସନରେ ଲଢ଼ିଥିଲା ।

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନ ଚତୁର୍ଥ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେ ହେଉଛନ୍ତି ତିନି ଥର ମୁଖ୍ୟମନ୍ତ୍ରୀ ଥିବା ଶିବୁ ସୋରେନଙ୍କ ପୁଅ। ହେମନ୍ତ ସୋରେନ ୧୯୭୫ ମସିହା ଅଗଷ୍ଟ ୧୦ ତାରିଖରେ ଶିବୁ ସୋରେନ ଓ ରୂପି ସୋରେନଙ୍କ ଘରେ ଜନ୍ମଗ୍ରହଣ କରିଥିଲେ । ହେମନ୍ତ ୧୯୯୦ ମସିହାରେ ପାଟନାର ଏମଜି ହାଇସ୍କୁଲରୁ ମାଟ୍ରିକ୍ ପାସ୍ କରିଥିଲେ । ୧୯୯୪ ମସିହାରେ ସେ ପାଟନା ହାଇସ୍କୁଲରୁ ଇଣ୍ଟରମିଡିଏଟ୍ ଶିକ୍ଷା ଶେଷ କରିଥିଲେ ।

ସେ ରାଞ୍ଚିର ବିଆଇଟି (ମେସ୍ରା)ରେ ମେକାନିକାଲ ଇଞ୍ଜିନିୟରିଂରେ ନାମ ଲେଖାଇଥିଲେ ମଧ୍ୟ କୌଣସି କାରଣରୁ ପାଠପଢ଼ା ଶେଷ କରିପାରିନଥିଲେ । ପାଠପଢ଼ା ପରେ ହେମନ୍ତ ଇଞ୍ଜିନିୟରିଂ ସଂସ୍ଥାରେ କାମ କରୁଥିଲେ । ହେମନ୍ତ କଳ୍ପନା ସୋରେନଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ଦୁଇଟି ପୁଅ ଅଛନ୍ତି । ହେମନ୍ତଙ୍କ ପତ୍ନୀ କଳ୍ପନା ମଧ୍ୟ ଏହି ନିର୍ବାଚନରେ ଗଣ୍ଡେ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ ।