ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଙ୍କ ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ନଭେମ୍ବର ୨୪ତାରିଖରେ ହୋଇଥିବା ବିକ୍ଷୋଭ ସଂକ୍ରାନ୍ତରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଇମ୍ରାନ୍ ଖାନ୍ ଙ୍କୁ ମୁକ୍ତ କରିବା ଦାବିରେ ପିଟିଆଇ କର୍ମୀ ଓ ସମର୍ଥକମାନେ ପାକିସ୍ତାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭକାରୀମାନେ ପାକିସ୍ତାନର ଇସଲାମାବାଦରେ ମଧ୍ୟ ପ୍ରବେଶ କରିଥିଲେ । ବୁଶରା ବିବିଙ୍କ ବ୍ୟତୀତ ପିଟିଆଇ ନେତା ହାକିମ ଖାନଙ୍କ ସମେତ ଆହୁରି ୩୦୦ ଜଣଙ୍କ ନାମ ମଧ୍ୟ ଏହି ବିକ୍ଷୋଭ ମାମଲାରେ ସାମିଲ ହୋଇଛି ।
ନଭେମ୍ବର ୨୪ ତାରିଖରେ ପିଟିଆଇ ନେତାଙ୍କ ନେତୃତ୍ୱରେ ପ୍ରାୟ ୩୦୦ କର୍ମୀ ଲାଠି, ଲୁହା ରଡ, ପଥର ଓ କାତାପୋଲ ଧରି ଇସଲାମାବାଦରେ ପହଞ୍ଚିଥିଲେ । ପୋଲିସ ସେମାନଙ୍କ ଏଫଆଇଆରରେ ମଧ୍ୟ ଲେଖିଛି ଯେ ସହରରେ ୧୪୪ ଧାରା ଲାଗୁ କରିବା ବିଷୟରେ ମଧ୍ୟ ସେମାନଙ୍କୁ ଅବଗତ କରାଯାଇଥିଲା । ଯାହା ପରେ ବିକ୍ଷୋଭକାରୀମାନେ ପୁଲିସ ଉପରେ ଆକ୍ରମଣ କରିଥିଲେ । ଦେଖିବାକୁ ଗଲେ ପାକିସ୍ତାନରେ ରାଜଧାନୀ ଇସଲାମାବଦରେ ପାକିସ୍ତାନ ତେହରିକ୍ ଇ ଇସଲାମ (ପିଟିଆଇ) ସମର୍ଥକଙ୍କ ରାଲି ହିଂସାର ରୂପ ନେବାରେ ଲାଗିଛି ।
ମାତ୍ରାଧିକ ସମର୍ଥକ ଏବେ ରାସ୍ତାକୁ ଓହ୍ଲାଇଥିବାବେଳେ ସେନା ଓ ସମର୍ଥକଙ୍କ ଭିତରେ ମୁହାଁମୁହିଁ ସ୍ଥିତି ଲାଗି ରହିଛି । ବର୍ତ୍ତମାନ ସୁଦ୍ଧା ହଜାରେରୁ ଅଧିକ ସମର୍ଥକଙ୍କୁ ଜେଲରେ ଭର୍ତ୍ତି କରିସାରିଲାଣି ସେନା । ଇମ୍ରାନ୍ ଖାନଙ୍କୁ ଜେଲରୁ ମୁକୁଳାଇବା ଦାବିରେ ପିଟିଆଇ ସମର୍ଥକ ଇସଲାମାବାଦରେ ରାଲି ଆରମ୍ଭ କରିଛନ୍ତି । କିନ୍ତୁ ଏ ରାଜନୈତିକ ରାଲି ଏବେ ହିଂସାର ରୂପ ନେବାରେ ଲାଗିଛି । ସେନା ଗୁଳିରେ ୪୦ରୁ ଅଧିକ ସମର୍ଥକଙ୍କ ପ୍ରାଣ ହରାଇସାରିଲେଣି ।