ସାମନ୍ଥାଙ୍କ ପାଇଁ ଦୁଃଖ ଖବର: ଝିଅକୁ ଛାଡ଼ି ଆରପାରିକୁ ଚାଲିଗଲେ ବାପା

ନୂଆଦିଲ୍ଲୀ: ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କ ପାଇଁ ଆସିଛି ଏକ ବଡ଼ ଦୁଃଖ ଖବର । ସାମନ୍ଥାଙ୍କୁ ହରାଇ ଆରପାରିକୁ ଚାଲିଯାଇଛନ୍ତି ତାଙ୍କର ବାପା ଜୋଶେଫ ପ୍ରଭୁ । ପିତାଙ୍କ ବିୟୋଗ ବାବଦରେ ଅଭିନେତ୍ରୀ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଛନ୍ତି । ଜୋଶେଫଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଜୋଶେଫ ପ୍ରଭୁ ଓ ନିନେଟ୍ଟେ ପ୍ରଭୁଙ୍କ ଔରଷରୁ ଚେନ୍ନାଇଠାରେ ସାମନ୍ଥା ଜନ୍ମଲାଭ କରିଥିଲେ । ପୂର୍ବରୁ ଏକ ସାକ୍ଷାତକାର ଅବସରରେ ସାମନ୍ଥା ପିତାଙ୍କ ସହ ଥିବା ନିବିଡ଼ ସମ୍ପର୍କକୁ ନେଇ ଖୁଲାସା କରିଥିଲେ । ତାଙ୍କ ପିତା ସର୍ବଦା ତାଙ୍କ ପାଇଁ ପ୍ରେରଣାଦାତାର ଭୂମିକା ନିର୍ବାହ କରିବା ସହ ତାଙ୍କର ଆତ୍ମବିଶ୍ୱାସ ବଢ଼ାଇବା ଦିଗରେ ସହାୟକ ହୋଇଥିବା ସାମନ୍ଥା ପ୍ରକାଶ କରିଥିଲେ ।

ଜୋସେଫଙ୍କ ବିୟୋଗ ପରେ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ ଅନେକ କଳାକାର, ବନ୍ଧୁ, ପରିଜନ ଓ ଅଗଣିତ ପ୍ରଶଂସକମାନେ ଏଭଳି ଦୁଃଖଦ ସମୟରେ ସାମନ୍ଥାଙ୍କୁ ସମବେଦନା ଜ୍ଞାପନ କରୁଛନ୍ତି । ଏହି ଅବସରରେ ସାମନ୍ଥା ପିତାଙ୍କ ସହ ଅତୀତରେ ବିତାଇଥିବା କିଛି ଗୌରମବୟ ମୁହୂର୍ତ୍ତକୁ ମନେପକାଇଛନ୍ତି । ଏକଦା ତାଙ୍କର ପିତା କହିଥିଲେ, ‘ତୁମେ ଏତେ ସ୍ମାର୍ଟ ନୁହଁ’ । ଯେତେବେଳେ ଜଣେ ପିତା ତାଙ୍କର ସନ୍ତାନକୁ ଏଭଳି କହିଥାନ୍ତି ତାହା ଦୀର୍ଘଦିନ ପର୍ଯ୍ୟନ୍ତ ଆମେ ବିଶ୍ୱାସ କରିଥାଉ । ସୂଚନାଯୋଗ୍ୟ ଯେ, ନାଗା ଚୈତନ୍ୟଙ୍କୁ ଅଲଗା ହେବାର ୧ ବର୍ଷ ପରେ ଜୋସେଫ ୨୦୨୨ରେ ସାମନ୍ଥାଙ୍କର ବିବାହ ସମୟର ଫଟୋ ଫେସବୁକରେ ଶେୟାର କରିଥିଲେ ।