ଯାତ୍ରାରେ ଚାଲିବ କଇଁଚି! ଜୀବନ୍ତ ଘୁଷୁରୀ ମାରି ଖାଇବା ଦୃଶ୍ୟକୁ ଗୃହରେ ଉଠାଇ ବିଜେପି ବିଧାୟକ କଟକଣା ଲଗାଇବାକୁ କଲେ ଦାବି

ଭୁବନେଶ୍ୱର- ଓଡିଆ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଓ ଭାଷା ପରିବେଷଣ ହେଉଛି । ଏହା ଓଡ଼ିଶା ସଂସ୍କୃତି ଓ ସମାଜକୁ କଳୁଷିତ କରୁଛି । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କଲେ ବିଜେପି ବିଧାୟକ ଵାବୁ ସିଂ ଓ ସନାତନ ବିଜୁଳୀ। ଯାତ୍ରାରେ ମଧ୍ୟ ସେନସର ବୋର୍ଡ ଲାଗି କରିବାକୁ ପ୍ରସ୍ତାବ ଦେଇଛନ୍ତି ବିଧାୟକ ।

ବିଜେପି ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି, ଓଡ଼ିଶାର କଳା ଓ ସଂସ୍କୃତିକୁ କଳୁଷିତ କରାଯାଉଛି ଯାତ୍ରା ମାଧ୍ୟମରେ। ଯାତ୍ରାର ଓପନ ପେଣ୍ଡାଲରେ ଦର୍ଶକଙ୍କ ଆଗରେ ଜୀଅନ୍ତା ଘୁଷୁରି ଓ ଜୀଅନ୍ତା କୁକୁଡ଼ା ଖିନଭିନ କରି ଖାଇବା ଚିତ୍ର ପ୍ରଦର୍ଶିତ ହେଉଛି। ହିଂସ୍ରତାକୁ ପ୍ରୋତ୍ସାହନ ଦିଆଯାଉଛି । ଓଡ଼ିଶାର କଳା ସଂସ୍କୃତି ବହୁତ ତଳକୁ ଖସି ଯାଉଛି।

ଏଥିସହ ବିଧାୟକ କହିଛନ୍ତି, ଓଡ଼ିଶାର କଳା ସଂସ୍କୃତିର ସୁରକ୍ଷା ପ୍ରତିଶୃତି ଦେଇଥିଲୁ ଓ ଓଡ଼ିଆ ଅସ୍ମିତା କଥା କହି ସରକାରକୁ ଆସିଥିଲୁ। ଓଡ଼ିଶାର ସଂସ୍କୃତିର ଅପଭ୍ରଂଶ କରିବାକୁ ଉଦ୍ୟମ କରାଯାଉଛି। ଫିଲ୍ମ ପରି ଯାତ୍ରାରେ ବି ସେନସର ବୋର୍ଡ ବ୍ୟବସ୍ଥା କରାଯାଉ। ଓଡ଼ିଶାର କଳା ଓ ସଂସ୍କୃତିକୁ ନଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନଷ୍ଠାନ ପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କଲେ ବାବୁ ସିଂ।

ଏଠାରେ କହି ରଖୁଛୁ କି, ବିଭିନ୍ନ ସମୟରେ ଯାତ୍ରାରେ ଆଇଟମ ଡ୍ୟାନ୍ସରେ ନର୍ତ୍ତକୀଙ୍କ ଫୁଙ୍ଗୁଳା ଦେହକୁ ନେଇ ଅଭିଯୋଗ ହୋଇ ଆସିଛି । ଏପରି ନାଚ ବନ୍ଦ କରିବାକୁ ଦାବି କରୁଛନ୍ତି ବୁଦ୍ଧିଜୀବୀ । ତେବେ ନିକଟରେ ଏକ ଯାତ୍ରା ପେଣ୍ଡାଲରେ ଜୀବନ୍ତ ଘୁଷୁରୀକୁ ମାରି ଖାଇବା ଦୃଶ୍ୟ ପ୍ରଦର୍ଶନ ପରେ ଏହାକୁ ନେଇ ନୂଆ ଏକ ବିବାଦ ସୃଷ୍ଟି ହୋଇଛି । ଯାତ୍ରା ଦେଖିବାକୁ ପରିବାରର ସାନ, ବଡ ସମସ୍ତେ ଯାଉଥିବା ବେଳେ ଏପରି ସବୁ ଦୃଶ୍ୟ ଅପ୍ରିତିକର ତଥା ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିବା ସହ ହିଂସା ମନୋବୃତ୍ତିକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେଉଛି ।