ଓଡ଼ିଶାରେ ଶୁଣାଗଲା ରହସ୍ୟଜନକ ଶବ୍ଦ! ହଠାତ୍ ଥରି ଉଠିଲା ଘରଦ୍ୱାର, ପ୍ରତିବର୍ଷ ନଭେମ୍ବର-ଡିସେମ୍ବରରେ ଘଟୁଛି ଏପରି ଅଘଟଣ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ରାଜ୍ୟର କିଛି ସ୍ଥାନରେ ଭୟଙ୍କର ଶବ୍ଦ ଶୁଣାଯାଇଥିବା ବେଳେ ତାହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । ତେବେ ଏହା ମଧ୍ୟରେ ଆଉ ଏକ ସମାନ ଘଟଣା ସାମ୍ନାକୁ ଆସିଛି । ଅଚାନକ ଶୁଣିବାକୁ ମିଳିଛି ଏକ ପ୍ରଚଣ୍ଡ ଶବ୍ଦ । ଏହି ପ୍ରଚଣ୍ଡ ଶବ୍ଦରେ ବିଭିନ୍ନ ସ୍ଥାନରେ ଘରଦ୍ୱାର, କବାଟ, ଝରକା ଥରି ଉଠିଥିଲା । ତେବେ ଏହି ଶବ୍ଦର ଉତ୍ପତ୍ତି ସ୍ଥଳ କେଉଁଠି ତାହା ଜଣାପଡ଼ି ନଥିଲା । ତେବେ ସେହି ଶବ୍ଦ ଶୁଣାଯିବା ସମୟରେ ଆକାଶରେ ଉଡ଼ାଜାହାଜ ଚକ୍କର କାଟିଥିଲା । ତେଣୁ ଉକ୍ତ ଶବ୍ଦ ସହ ଉଡ଼ାଜାହାଜର କିଛି ସମ୍ପର୍କ ରହିଛି କି ନା ତାହା ଲୋକଙ୍କ ମଧ୍ୟରେ ଅଜଣା ହୋଇ ରହିଛି । ସବୁଠାରୁ ବଡ଼ କଥା ହେଉଛି, ଗତ କିଛି ବର୍ଷ ହେଲା ନଭେମ୍ବର-ଡିସେମ୍ବର ମାସରେ ଅଚାନକ ଭାବେ ଏପରି ପ୍ରଚଣ୍ଡ ଶବ୍ଦ ଶୁଣାଯାଉଛି । ତେଣୁ ଏହି ରହସ୍ୟଜନକ ଶବ୍ଦକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି । ଆଜି ସକାଳ ୧୦.୪୭ରୁ ୧୦.୪୮ ସମୟ ମଧ୍ୟରେ କେନ୍ଦୁଝର ଜିଲ୍ଲାର ଢେଙ୍କିକୋଟ, ପାଟଣା ଓ ସାହାରପଡ଼ା ଅଞ୍ଚଳବାସୀ ଏହି ଶବ୍ଦ ଶୁଣିବାକୁ ପାଇଥିଲେ ।
ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ଅକ୍ଟୋବର ମାସ ୧୮ ତାରିଖରେ ମଧ୍ୟ ଅନୁରୂପ ଏକ ଘଟଣା ରାଜ୍ୟବାସୀ ଉପଲବଧି କରିଥିଲେ । ମୟୂରଭଞ୍ଜରେ ସନ୍ଧ୍ୟା ସମୟରେ ଭୟଙ୍କର ବଜ୍ରପାତ ହୋଇଥିଲା ଓ ସେହି ସମୟରେ ଲୋକମାନେ ଏକ ଭୟଙ୍କର ଶବ୍ଦ ଶୁଣଇବାକୁ ପାଡ଼ଇଥିଲେ । ରାତି ୬ଟାରୁ ୮ଟା ପର୍ଯ୍ୟନ୍ତ ମୟୂରଭଞ୍ଜ ଆକାଶରେ ଉକ୍ତ ଦୃଶ୍ୟ ଦେଖିବାକୁ ମିଳିଥିଲା । ୭ ମିନିଟରେ ୪୪୧୫ ଥର ବଜ୍ରପାତ ହୋଇଥିବା ରେକର୍ଡ କରାଯାଇଥିଲା । ସେହିପରି ତା’ ପୂର୍ବରୁ ଅଗଷ୍ଟ ମାସରେ ବାଲେଶ୍ୱର ଜିଲ୍ଲାର ନୀଳଗିରି ଓ ଭଦ୍ରକର ବାସୁଦେବପୁର ଅଞ୍ଚଳରେ ମଧ୍ୟ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା । ବଜ୍ରପାତ କାରଣରୁ ଏପରି ଶବ୍ଦ ହୋଇଥିବା ବାଲେଶ୍ୱର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା ।