ନୂଆଦିଲ୍ଲୀ: ଉଗ୍ରବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ସରକାର ପାକିସ୍ତାନକୁ କହିଛନ୍ତି । ସୂଚନା ଅନୁଯାୟୀ, ମାସୁଦ ଆଝାର ନିକଟରେ ପାକିସ୍ତାନର ବାହାୱଲପୁରରେ ଏକ ଜନସଭାକୁ ସମ୍ବୋଧିତ କରିଥିଲା । ପାକିସ୍ତାନ କହୁଛି ମସୁଦ ଆଝାର ଏଠାରେ ନାହିଁ ।
ଶୁକ୍ରବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲଙ୍କୁ ଏ ନେଇ ପ୍ରଶ୍ନ ପଚରାଯାଇଥିଲା । ରଣଧୀର ଜୟସ୍ୱାଲ କହିଛନ୍ତି, ଆତଙ୍କବାଦୀ କାର୍ଯ୍ୟକଳାପ କୁ ରୋକିବାରେ ପାକିସ୍ତାନର ଦ୍ବିତୀୟ ଚରିତ୍ର ପଦାକୁ ଆସିଛି । ଆମେ ଦାବି କରୁଛୁ ଯେ ଆଝାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ତାକୁ କାଠଗଡ଼ାକୁ ନିଆଯାଉ ।
ସେ ପାକିସ୍ତାନରେ ନାହିଁ ବୋଲି ସବୁବେଳେ ଅସ୍ୱୀକାର କରାଯାଇଛି । ୧୯୯୯ ମସିହାରେ ଆତଙ୍କବାଦୀମାନେ ଏକ ଭାରତୀୟ ବିମାନକୁ ଅପହରଣ କରି ନେଇଥିଲେ । ଆତଙ୍କବାଦୀମାନେ ବିମାନକୁ କାନ୍ଦାହାର ନେଇଯାଇଥିଲେ । ବିମାନର ଯାତ୍ରୀମାନଙ୍କୁ ମୁକ୍ତ କରିବା ବଦଳରେ ଭାରତ ସରକାର ମାସୁଦ ଆଝାର ସମେତ ତିନି ଜଣ ଉଗ୍ରବାଦୀଙ୍କୁ ମୁକ୍ତ କରିବାକୁ ରାଜି ହୋଇଥିଲେ ।