ଭୁବନେଶ୍ବର: ଦିନକୁ ଦିନ ଗୋଟିଏ ପରେ ଗୋଟିଏ ବାବାଙ୍କ ଗୁମର ଫିଟିବାରେ ଲାଗିଛି । କଳ୍କୀ ବାବାଙ୍କ ପରେ ଆଉ ଏକ ବାବା ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି । ନିଶା ଦେଇ ଦୁଷ୍କର୍ମ କରୁଥିଲେ ରଙ୍ଗିଲା ବାବା । ଏଭଳି ଅଭିଯୋଗ ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି । ଆଶ୍ରମରେ ବାବା ନିଶା ଦେଇ ରାସଲିଳା କରୁଥିବା ନେଇ ଯୁବତୀଜଣକ ଅଭିଯୋଗ କରିବା ପରେ ତାଙ୍କୁ ଗିରଫ କରିଛି ପୋଲିସ । ବାବାଙ୍କ ନାମ ପ୍ରଫୁଲ ମହଲା ବୋଲି ଜଣାପଡିଛି ।
ଯୁବତୀଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଦେହ ବାରମ୍ବାର ହେବାରୁ ସେ ବାବାଙ୍କ ପାଖକୁ ଯାଇଥିଲେ । ଏଠାରେ ନିଜ ଅସୁବିଧା କଥା କହିଥିବା ବେଳେ ତାଙ୍କୁ କିଛି ଔଷଧ ଖାଇବା ପାଇଁ ଦିଆଯାଇଥିଲା । ଔଷଧ ଶେଷ ହେବା ପରେ ପୁଣିଥରେ ଆସିବା ପାଇଁ କହିଥିଲେ । ଯେତେବେଳେ ଯୁବତୀଜଣକ ପୁଣିଥରେ ଆଶ୍ରମକୁ ଯାଇଥିଲେ ସେତେବେଳେ ବାବା ଆଉ କିଛି ଔଷଧ ଦେଇଥିଲେ । ତେବେ ସେଠାରେ ଔଷଧ ଖାଇବା ପାଇଁ କହିବାରୁ ଯୁବତୀଜଣକ ଖାଇ ସେଠାରେ ଅଚେତ ହୋଇଯାଇଥିଲେ । ସମ୍ବଲପୁରରେ ରହିଥିବା ବୈଷ୍ଣବ ଝୁଲି ଆଶ୍ରମରେ ବାବା ପ୍ରଫୁଲ ତାଙ୍କୁ ନିଶା ଦେଇ ଦୁଷ୍କର୍ମ କରିଥିଲେ । ଯୁବତୀଙ୍କ ଚେତା ଫେରିବା ପରେ ତାଙ୍କୁ ଏକ ସ୍ଥାନରେ ନେଇ ଛାଡି ଆସିଥିଲେ । ଏନେଇ ଯୁବତୀ ଜଣକ ରେଢାଖୋଲ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରିବା ସହିତ ରଙ୍ଗିଲା ବାବାକୁ ଗିରଫ କରିଥିବା ଜଣାପଡିଛି ।