ଖାନ୍ ସାରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା: ଡିହାଇଡ୍ରେସନ ଓ ଫିଭର ପରେ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ବିହାରର ସେଲିବ୍ରେଟୀ ଟିଚର ଖାନ୍ ସାରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି । ଡିହାଇଡ୍ରେସନ ଓ ଫିଭର ପରେ ତାଙ୍କୁ ପ୍ରଭାବତ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ସେ ବିହାର ଲୋକସେବା ଆୟୋଗ (ବିପିଏସସି) ଆଶାୟୀଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ । ବିପିଏସସି ପ୍ରିଲିମିନାରୀ ପରୀକ୍ଷା ନିୟମରେ ପରିବର୍ତ୍ତନକୁ ନେଇ ଛାତ୍ରଛାତ୍ରୀଙ୍କୁ ସମର୍ଥନ କରିବା କାରଣରୁ ଖାନ ସାରଙ୍କୁ ପୋଲିସ ଗିରଫ କରିଥିଲା । ଖାନ ସାରଙ୍କୁ ପୋଲିସ ଗାଡ଼ିରେ ବସାଇ ଥାନାକୁ ନେବା ପରେ ସେଠାରେ ଛାତ୍ରଛାତ୍ରୀମାନେ ଏକାଠି ହୋଇ ତାଙ୍କୁ ଛାଡ଼ିବାକୁ ଦାବି କରିଥିଲେ ।

ସୂଚନାଯୋଗ୍ୟ ଯେ, ଡିସେମ୍ବର ୧୩ରେ ହେବାକୁ ଥିବା ବିପିଏସସି ପ୍ରାରମ୍ଭିକ ପରୀକ୍ଷା ନିୟମ ପରିବର୍ତ୍ତନକୁ ନେଇ ରାଜଧାନୀ ପାଟନା ସ୍ଥିତି ବିପିଏସସି କାର୍ଯ୍ୟାଳୟ ବାହାରେ ଗତକାଲି ଶତାଧିକ ଆଶାୟୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଛାତ୍ରଛାତ୍ରୀଙ୍କ ଉପରେ ଲାଠିଚାର୍ଜ କରିଥିଲା । ତେବେ ଛାତ୍ରଛାତ୍ରୀଙ୍କୁ ସମର୍ଥନ କରି ଉକ୍ତ ଆନ୍ଦୋଳନରେ ସାମିଲ ହୋଇଥିଲେ ଖାନ୍ ସାର । ସେଥିପାଇଁ ପୋଲିସ ତାଙ୍କୁ ହେପାଜତକୁ ନେଇ ଥାନାକୁ ନେଇଥିଲା । ସେଠାରେ ତାଙ୍କୁ ଛାଡ଼ିବା ପାଇଁ ଛାତ୍ରଛାତ୍ରୀମାନେ ନାରାବାଜୀ କରିଥିଲେ । ପରବର୍ତ୍ତୀ ସମୟରେ ପୋଲିସ ଖାନ୍ ସାରଙ୍କୁ ଛାଡ଼ି ଦେଇଥିଲା ।