ଭୁବନେଶ୍ୱର: ସାଧାରଣତଃ ଭାରତରେ ତଥା ରାଜ୍ୟରେ ଲୋକଙ୍କ ଦିନ ଚାହାରୁ ଆରମ୍ଭ ହେଉଛି। କେହି ଦିନକୁ ତିନି-ଚାରି ଥର ଚାହା ନ ପିଇଲେ, ସେମାନଙ୍କୁ ଅସହଜ ମନେ ହୁଏ। ତେବେ ବର୍ତ୍ତମାନ ବାଲେଶ୍ୱର ଜିଲ୍ଲାରେ ପୋଲିସ ଏକ ନକଲି ଚାହା ଫ୍ୟାକ୍ଟ୍ରୀ ଉପରେ ଚଢାଉ କରିଛି। ଏହି ଫ୍ୟାକ୍ଟ୍ରୀ ଜଳେଶ୍ୱର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୬୦ ପାଖ ଅଗ୍ରୱାଲ ଛକରେ ଚାଲିଥିଲା। ଅନେକଥର ଅଭିଯୋଗ ପରେ ଦିଲ୍ଲୀ ହାଇକୋର୍ଟ ଏହି ଧନ୍ଦା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଏକ ସ୍ପେଶାଲ ଟିମ୍ ଏବଂ ସ୍ଥାନୀୟ ପୋଲିସ ମିଶି ଏହି ନକଲି ଚାହା ପ୍ୟାକିଂ ଫ୍ୟାକ୍ଟ୍ରୀ ଉପରେ ଚଢାଉ କରିଛି।
ଚଢାଉ ସମୟରେ ପୋଲିସ ଅନେକ ନାମିଦାମି କମ୍ପାନୀ ନାମ ଏବଂ ଲୋଗୋ ପ୍ୟାକିଂରେ ଚାହା ବିକ୍ରି ହେଉଥିବାକୁ ଜବତ କରିଛି। ଯାଞ୍ଚରେ ସାମ୍ନାକୁ ଆସିଛି ଯେ, ସ୍ଥାନୀୟ ବଜାରରେ ଶସ୍ତା ଚାହା କିଣି ତାକୁ ବଡ଼ ବ୍ରାଣ୍ଡସ୍ ନାମରେ ପ୍ୟାକ କରି ବିକ୍ରି କରାଯାଉଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଏହି ଫ୍ୟାକ୍ଟ୍ରୀ ଏକ ଭଡା ବିଲ୍ଡିଂରେ ଅଟୋ ପାର୍ଟସ ଦୋକାନ ନାମରେ ଚାଲୁଥିଲା। ବାହାରେ ଏହାର ଏକ ବ୍ୟାନର ମଧ୍ୟ ଲଗାଯାଇଥିଲା। ଯାହା ଦ୍ୱାରା କାହାରିକୁ ସନ୍ଦେହ ହେବନାହିଁ। ହେଲେ ଭିତରେ ନକଲି ଚା’ପତି ପ୍ୟାକିଂର କାମ ଚାଲିଥିଲା।