ଡିସେମ୍ବର ୮ରୁ ଚାଷୀଙ୍କୁ ମିଳିବ ୮୦୦ ଟଙ୍କା ଇନପୁଟ୍ ସହାୟତା: ପୂର୍ବ ପ୍ରତିଶ୍ରୁତି ପୂରଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲି ଅର୍ଥାତ ଡିସେମ୍ବର ୮ ତାରିଖରୁ ଚାଷୀଙ୍କୁ ମିଳିବ ୮ ଶହ ଟଙ୍କା ଇନପୁଟ୍ ସହାୟତା । ଚାଷୀଙ୍କୁ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା ଦିଆଯିବା ବୋଲି ନିର୍ବାଚନ ସମୟରେ ବିଜେପି ଘୋଷଣା କରିଥିଲା । ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବ ପ୍ରତିଶ୍ରୁତି ରକ୍ଷା କରିବେ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲା ଗସ୍ତରେ ଯିବେ । ଏହି ଅବସରରେ ସେ ସୋହେଲା ଥାନା ଅନ୍ତର୍ଗତ ଇଚ୍ଛାପାଲି ଠାରେ ଚାଷୀଙ୍କୁ କୁଇଣ୍ଟାଲ ପିଛା ୨୩ ଶହ ଟଙ୍କା ଏମଏସପି ଉପରେ ୮୦୦ ଟଙ୍କା ଇନପୁଟ୍ ସହାୟତ ପ୍ରଦାନ କରିବେ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସଭାସ୍ଥଳ ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ବ୍ୟବସ୍ଥାର ତଦାରଖ କରିଛନ୍ତି ସମ୍ବଲପୁର ଆଇଜି ହିମାଂଶୁ ଲାଲ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ବରଗଡ଼ ଏସପିଙ୍କ ନେତୃତ୍ୱରେ ୧୨ ଜଣ ଡିଏସପି, ୪ ଜଣ ଅତିରିକ୍ତ ଏସପି, ୩୭ ଜଣ ଇନ୍ସପେକ୍ଟର, ୫୩ ଜଣ ଏସଆଇ, ୭୦ ଜଣ ଏଏସଆଇଙ୍କ ସମେତ ୩୦ ପ୍ଲାଟୁନ ଫୋର୍ସଙ୍କୁ ମୁତୟନ କରାଯିବ । ଡିସେମ୍ବର ୮ରୁ ଚାଷୀଙ୍କୁ ଇନପୁଟ ସବିସିଡି ଯୋଗାଇ ଦିଆଯିବ ବୋଲି ଗତ ମାସରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଥିଲେ । ୨୩୦୦ ଟଙ୍କା ଗୋଟିଏ ଆକାଉଣ୍ଟରୁ ଓ ୮୦୦ ଟଙ୍କା ଆଉ ଏକ ଆକାଉଣ୍ଟରୁ କୃଷକଙ୍କ ବ୍ୟାଙ୍କ ଖାତାକୁ ପଠାଯିବ । ୮ ତାରିଖ ପରେ ଚାଷୀମାନେ ସବିସିଡି ଟଙ୍କା ଆଗାମୀ ୪୮ ଘଣ୍ଟା ମଧ୍ୟରେ ପାଇ ପାରିବେ ବୋଲି ମନ୍ତ୍ରୀ କହିଥିଲେ ।