ନୂଆଦିଲ୍ଲୀ- ମହିଳାଙ୍କୁ ସଶକ୍ତି କରଣ କରିବା ଦିଗରେ ମୋଦି ସରକାରଙ୍କ ଆଉ ଏକ ବଡ ପଦକ୍ଷେପ । ଆଜିଠାରୁ ଆରମ୍ଭ ହେଲା ଏଲଆଇସିର ବୀମା ସଖୀ ଯୋଜନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହରିଆଣା ଗସ୍ତ କାଳରେ ଏହି ନୂଆ ଯୋଜନାର ଶୁଭାରମ୍ଭ କରାଯାଇଛି । ଜୀବନ ବୀମା କର୍ପୋରେସନ ସହଭାଗିତାରେ ଏହି ଯୋଜନା ଆରମ୍ଭ ହୋଇଛି ।
ଏହି ଯୋଜନାରେ ୧୮ରୁ ୭୦ ବର୍ଷିୟା ମହିଳା ଭାଗନେଇ ପାରିବେ । ତେବେ ଦଶମ ପାଶ କରିଥିବା ମହିଳାଙ୍କୁ ଏହି ଯୋଜନାରେ ଅଧିକ ପ୍ରାଥମିକତା ଦିଆଯିବ । ଏହି ମହିଳାଙ୍କୁ ଯୋଜନା ଅନ୍ତର୍ଗତ ୩ବର୍ଷ ଯାଏଁ ତାଲିମ ଦିଆଯିବ । ବୀମା ସମ୍ପର୍କରେ ସବିଶେଷ ଜ୍ଞାନ ଦିଆଯିବ । ଜୀବନରେ ବୀମାର ଆବଶ୍ୟକତା ସେମାନଙ୍କୁ ଜଣାଯିବ , ଯେମିତି ଏମାନେ ଆଗକୁ ଲୋକଙ୍କୁ ବୀମାର ଗୁରୁତ୍ୱ ସମ୍ପର୍କରେ ସଠିକ ଭାବେ ଅବଗତ କରାଇପାରିବେ । ଟ୍ରେନିଂ ପରେ ସେମାନଙ୍କୁ ଏଲଆଇସି ଏଜେଣ୍ଟ ରୂପେ ନିଯୁକ୍ତି ଦିଆଯିବ । ସେହିପରି ସ୍ନାତକ କରିଥିବା ମହିଳାଙ୍କୁ ଡେଭଲପମେଣ୍ଟ ଅଫିସର ଭାବେ କାମ କରିବାକୁ ସୁଯୋଗ ମିଳିବ ।
ଆଜିଠାରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ସାମିଲ ହେଉଥିବା ମହିଳାଙ୍କୁ ତାଲିମର ପ୍ରଥମ ବର୍ଷ ୭ ହଜାର ଟଙ୍କା, ଦ୍ୱିତୀୟ ବର୍ଷରେ ୬ ହଜାର ଓ ତୃତୀୟ ବର୍ଷରେ ୫ହଜାର ଲେଖା ଦରମା ଦିଆଯିବ । ଏହି ତାଲିମ କାଳରେ ମହିଳାଙ୍କୁ ମୋଟ ୨ ଲକ୍ଷ ଟଙ୍କା ଦିଆଯିବ । ଏହାକୁ ଛାଡି ମହିଳାଙ୍କୁ ବୋନସ ଓ କମିଶନ ମଧ୍ୟ ମିଳିବ । ଏହି ସ୍କିମରେ ମହିଳାଙ୍କୁ ସାମିଲ ହେବାକୁ ହେଲେ ଏଲଆଇସିର ଅଫିସିଆ ୱେବସାଇଟ…ରେ ଆବେଦନ କରିବାକୁ ହେବ ।