CUET UG-PG 2025 ନିୟମରେ ହେବ ବଡ଼ ପରିବର୍ତ୍ତନ: ଖୁବଶୀଘ୍ର ଗାଇଡଲାଇନ୍ ଜାରି ହେବ, UGC ଅଧ୍ୟକ୍ଷଙ୍କ ସୂଚନା

ନୂଆଦିଲ୍ଲୀ: କମ୍ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି) ୟୁଜି-ପିଜି ୨୦୨୫କୁ ନେଇ ଆସିଛି ଏକ ବଡ଼ ଖବର । ସିୟୁଇଟି ୟୁଜି-ପିଜି ୨୦୨୫ ନିୟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଖୁବଶୀଘ୍ର ଏନେଇ ଗାଇଡଲାଇନ୍ ଜାରି ହେବ ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଅଧ୍ୟକ୍ଷ ଜଗଦୀଶ କୁମାର ସୂଚନା ଦେଇଛନ୍ତି । ୟୁଜି ଓ ଓ ପିଜି ପାଠ୍ୟକ୍ରମ ପାଇଁ ସିୟୁଇଟିରେ ନୂଆ ନିୟମ ଲାଗୁ ହେବ । ବିଶେଷଜ୍ଞ ପ୍ୟାନେଲଙ୍କ ସୁପାରିଶ ଆଧାରରେ ଏହି ପଦକ୍ଷେପ ଗ୍ରହଣ କରାଯିବ । ପୂର୍ବ ବର୍ଷମାନଙ୍କରେ ଏହାକୁ ନେଇ ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥିଲା । ତେଣୁ ସିୟୁଇଟି ପ୍ରକ୍ରିୟାକୁ ସୁଦୃଢ଼ କରିବା ପାଇଁ ୟୁଜିସି କାମ କରୁଛି ।

ଶ୍ରୀ କୁମାର କହିଛନ୍ତି, ଅଧିକ କୁଶଳ ଓ ଅନୁକୂଳ ବାତାବରଣ ପ୍ରଦାନ ପାଇଁ ପରୀକ୍ଷା ପ୍ରକ୍ରିୟାରେ ନିରନ୍ତର ସୁଧାର କରିବା ଜରୁରୀ । ସେହି କାରଣରୁ ୟୁଜିସି ୨୦୨୫ ପାଇଁ ସିୟୁଇଟି-ୟୁଜି ଓ ସିୟୁଇଟି-ପିଜିର ସଞ୍ଚାଳନର ସମୀକ୍ଷା ପାଇଁ ଏକ ଏକ୍ସପର୍ଟ କମିଟି ଗଠନ କରିଛି । ସିୟୁଇଟି ପରୀକ୍ଷା ପାଇଁ ବିଶେଷଜ୍ଞ ପ୍ୟାନେଲର ସମୀକ୍ଷା ପରେ ୨୦୨୫ ସଂସ୍କରଣରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଗତ ବର୍ଷମାନଙ୍କରେ ମିଳିଥିବା ଫିଡବ୍ୟାକ ଆଧାରରେ ପରୀକ୍ଷା ପ୍ରକ୍ରିୟାରେ ସୁଧାର ଆଣିବାକୁ ପ୍ରୟାସ କରାଯିବ । ସିୟୁଇଟି ୨୦୨୫ ପାଇଁ ସଂଶୋଧିତ ନିୟମାବଳୀ ପାଇଁ ଖୁବଶୀଘ୍ର ଡ୍ରାଫ୍ଟ ଜାରି କରାଯିବ । ସେଥିପାଇଁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ଶିକ୍ଷାନୁଷ୍ଠାନ ତରଫରୁ ଫିଡବ୍ୟାକ ଆମନ୍ତ୍ରଣ କରାଯିବ ବୋଲି ୟୁଜିସି ଅଧ୍ୟକ୍ଷ କହିଛନ୍ତି ।