ନୂଆଦିଲ୍ଲୀ: ବର୍ତ୍ତମାନ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡ଼ର ଗାଭାସ୍କର ଟ୍ରଫି ଅନ୍ତର୍ଗତ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଛି । ଭାରତୀୟ ଦଳ ପର୍ଥରେ ପ୍ରଥମ ମ୍ୟାଚ୍ ଜିତିଥିବାବେଳେ ଆଡିଲେଡରେ କଙ୍ଗାରୁ ଦଳକୁ ସଫଳତା ମିଳିଥିଲା । ବର୍ତ୍ତମାନ ସିରିଜ ୧-୧ ବରାବରରେ ରହିଛି । ସିରିଜର ୩ୟ ମ୍ୟାଚ୍ ଡିସେମ୍ବର ୧୪ରେ ବ୍ରିସବେନର ଗାବା ମଇଦାନରେ ଖେଳାଯିବ । ଏହି ମ୍ୟାଚରେ ଉଭୟ ଦଳ ଲିଡ୍ କରିବା ପାଇଁ ଯଥାସମ୍ଭବ ପ୍ରୟାସ କରିବେ । ଗାବା ମଇଦାନରେ ଭାରତୀୟ ଦଳ ୮ମ ଥର ପାଇଁ ଖେଳିବ । ଏହା ପୂର୍ବରୁ ୭ଟି ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ କେବଳ ୨୦୨୦-୨୧ରେ ଖୋଳାଯାଇଥିବା ୧ ମ୍ୟାଚ୍ ଜିତିଥିଲା । ପାଞ୍ଚଟି ମ୍ୟାଚରେ ଦଳ ପରାସ୍ତ ହୋଇଥିବା ବେଳେ ୧ ମ୍ୟାଚ୍ ଡ୍ର ରହିଥିଲା ।
ଭାରତୀୟ ସମୟାନୁସାରେ ସକାଳ ୫ଟା ୫୦ରେ ମ୍ୟାଚ୍ ଆରମ୍ଭ ହେବ । ଗତ ଟେଷ୍ଟ ସିରିଜ୍ ୪ଟି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ଥିଲା ଯେଉଁଥିରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରିଥିଲା । ସେହି ସମୟରେ ଗାବା ଟେଷ୍ଟରେ ଭାରତୀୟ ଦଳ ୩ ୱିକେଟରେ କଂଗାରୁ ଦଳକୁ ପରାସ୍ତ କରିଥିଲା । ଏହି ଟେଷ୍ଟ ଶୃଙ୍ଖଳାର ସବୁଠାରୁ କଠିନ ମୁକାବିଲା ଥିଲା ଗାବା ଟେଷ୍ଟ । ସେହି ସମୟରେ ୱିକେଟ ରକ୍ଷକ ବ୍ୟାଟ୍ସମ୍ୟାନ ଋଷଭ ପନ୍ତ, ଦୃତ ବୋଲର ମହମ୍ମଦ ସିରାଜ, ଓପେନର ଶୁଭମନ ଗିଲ୍ ଏବଂ ସ୍ପିନ୍ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ବିଜୟ ହାସଲ କରିବା ପାଇଁ ପୁରା ଚେଷ୍ଟା କରିଥିଲେ ।
ବିରାଟ୍ କୋହଲି ମଜବୁତ ଅସ୍ତ୍ର ସାବ୍ୟସ୍ତ ହୋଇପାରନ୍ତି
ଗାବା ମଇଦାନରେ ବିରାଟ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ଟେଷ୍ଟ ଖେଳିଛନ୍ତି ଯେଉଁଥିରେ ସେ ଫ୍ଲପ୍ ରହିଥିଲେ । କିନ୍ତୁ ପର୍ଥ ଟେଷ୍ଟର ୨ୟ ଇନିଂସରେ ୧୦୦ଟି ଅପରାଜିତ ରନ୍ ସଂଗ୍ରହ କରି ନିଜ ପ୍ରଦର୍ଶନ ଦେଖାଇଥିଲେ । ଏହା ବ୍ୟତୀତ ଅଷ୍ଟ୍ରେଲୀୟ ମଇଦାନରେ ତାଙ୍କର ଦମଦାର ରେକର୍ଡ଼ ରହିଛି । ଅଷ୍ଟ୍ରେଲିଆ ମାଟିରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ୨ୟ ଭାରତୀୟ ଖେଳାଳି । ବର୍ତ୍ତମାନ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ସେ ୧୫ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି ଯେଉଁଥିରେ ୫୨.୬୭ ହାରାହାରିରେ ୧୪୭୫ ରନ୍ ସଂଗ୍ରହ କରିଛନ୍ତି । ଏହି ସମୟରେ ସେ ୭ଟି ଶତକ ଏବଂ ୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।
ଅପରପକ୍ଷରେ ଗାବା ମଇଦାନରେ ଋଷଭ ପନ୍ତ, ଶୁଭମନ ଗିଲ୍, ୱାଶିଂଟନ୍ ସୁନ୍ଦର ଏବଂ ମହମ୍ମଦ ସିରାଜ ୧-୧ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ୨୦୨୦-୨୧ରେ ଖୋଳାଯାଇଥିବା ମ୍ୟାଚରେ ଭାରତୀୟ ଦଳର ବିଜୟ ପଛରେ ଏହି ୪ ଜଣଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଏଥର ମଧ୍ୟ ଏହି ୪ ଜଣ ମଇଦାନରେ କମାଲ ଦେଖାଇବେ ବୋଲି ପ୍ରଶଂସକ ଆଶାବାଦୀ ଅଛନ୍ତି । କହିରଖୁଛୁ ଏହି ମ୍ୟାଚରେ ଋଷଭ ପନ୍ତ ପ୍ରଥମ ଇନିଂସରେ ୨୩ ରନ୍ ସଂଗ୍ରହ କରିଥିଲେ । କିନ୍ତୁ ୨ୟ ଇନିଂସରେ ଅପରାଜିତ ୮୯ ରନ୍ ସଂଗ୍ରହ କରିଥିଲେ । ସେହିଭଳି ଶୁଭମନ ଗିଲ୍ ମଧ୍ୟ ପ୍ରଥମ ଇନିଂସରେ ମାତ୍ର ୭ ରନ୍ କରି ଫ୍ଲପ୍ ରହିଥିଲେ । ଦ୍ୱିତୀୟ ଇନିଂସରେ ଅପରାଜିତ ୯୧ ରନ୍ କରିବାରେ ସଫଳ ହୋଇଥିଲେ । ସେ ୨ଟି ଛକା ଏବଂ ୮ଟି ଚଉକା ଲଗାଇଥିଲେ । ମହମ୍ମଦ ସିରାଜ୍ ପ୍ରଥମ ଇନିଂସରେ ୧ ୱିକେଟ୍ ନେଇଥିଲେ । ଦ୍ୱିତୀୟ ଇନିଂସରେ ୫ ୱିକେଟ ବଳରେ କଙ୍ଗାରୁ ଦଳର ମନୋବଳ ଭାଙ୍ଗିଥିଲେ । ସେ ମାର୍ନସ ଲାବୁଶେନ୍, ଷ୍ଟୀଭ୍ ସ୍ମିଥ୍, ମାଥୁ୍ୟ ୱେଡ୍, ମିଚେଲ ଷ୍ଟାର୍କ ଏବଂ ଜୋଶ ହେଜେଲଉଡଙ୍କୁ ନିଜ ଶିକାର କରିଥିଲେ । ଏହି ମ୍ୟାଚରେ ଭାରତୀୟ ଦଳ ୧୮୬ ରନ୍ ସଂଗ୍ରହ କରି ୬ ୱିକେଟ୍ ହରାଇ ଟାର୍ଗେଟର ପିଛା କରୁଥିବା ଭାରତୀୟ ଦଳ ସଂଘର୍ଷ କରୁଥିବାବେଳେ ୱାଶିଂଟନ୍ ସୁନ୍ଦର ୬୨ ଏବଂ ଶାର୍ଦୁଲ ୬୭ ରନ୍ କରି ଭାରତୀୟ ଦଳକୁ ଜିତାଇବାରେ ସଫଳ ହୋଇଥିଲେ । ଦୁହେଁ ୨୧୭ ବଲରେ ୧୨୩ ରନର ମ୍ୟାଚ୍ ୱିନିଂ ପାର୍ଟନରସିପ୍ କରିଥିଲେ । ତେବେ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ ।