ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତୀୟମାନେ ବିନା ଭିସାରେ ବିଦେଶ ଯାତ୍ରା କରିପାରିବେ । ଆସନ୍ତା ବର୍ଷ ଆଉ ଋଷ ଯିବା ଭିସାର ଆବଶ୍ୟକତା ପଡିବ ନାହିଁ । ଏନେଇ ଭାରତ ଏବଂ ଋଷ ମଧ୍ୟରେ ଆଲୋଚନା ସରିଥିବା ବେଳେ 2025 ସୁଦ୍ଧା ଏହା କାର୍ଯ୍ୟକାରୀ ହେବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ଯଦି ଏହା ଲାଗୁ ହୁଏ ତେବେ ଭାରତ ଏବଂ ଋଷ ମଧ୍ୟରେ ସମ୍ପର୍କ ଆହୁରି ମଜଭୁତ ହେବ ବୋଲି କୁହାଯାଇଛି । କହିରଖୁଛୁ କି, 2023 ମସିହା ଠାରୁ ଭାରତୀୟମାନେ ଇ-ଭିସା ଜରିଆରେ ଋଷ ଯାତ୍ରା କରିପାରୁଛନ୍ତି । ଆବେଦନର ମାତ୍ର 4 ଦିନ ଭିତରେ ଏହା ମିଳିପାରୁଥିଲା । କିନ୍ତୁ 2025 ମସିହା ବେଳର ଏହାର ମଧ୍ୟ ଆବଶ୍ୟକତା ପଡିବ ନାହିଁ ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।
ଭାରତୀୟ ପାସପୋର୍ଟଧାରୀମାନେ ବର୍ତ୍ତମାନ 62 ଟି ଦେଶକୁ ଭିସା ମୁକ୍ତ ଯାତ୍ରା କରିପାରୁଛନ୍ତି । କିନ୍ତୁ 2025 ସୁଦ୍ଧା ଏହି ତାଲିକାରେ ଋଷ ଯୋଡି ହେବ ବୋଲି କୁହାଯାଇଛି । 2023 ମସିହାରେ ଭାରତୀୟ ଯାତ୍ରୀମାନଙ୍କୁ 9500 ଟଙ୍କାରେ ଇଭିସା ପ୍ରଦାନ କରାଯାଉଥିଲା । ଯାହା ମସ୍କୋ ଦ୍ବାରା ଜାରି କରାଯାଇଥିବା ଇ-ଭିସାର 6 ପ୍ରତିଶତ ଅଟେ । ଏହା ଦ୍ବାରା ଭାରତ ଶ୍ରେଷ୍ଠ 5 ଦେଶ ମଧ୍ୟରେ ସାମିଲ ହେବ, ଯାହା ଦ୍ବାରା କି ଋଷର ଯାତ୍ରା ସହଜ ହୋଇପାରିବ । ନିକଟ ଅତୀତରେ ମସ୍କୋରେ ଭାରତରୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ମସ୍କୋ ସିଟି ଟୁରିଜିମ୍ କମିଟିର ଚେୟାରମ୍ୟାନ୍ ଇଭେଗେନି କୋଜଲୋଭଙ୍କ ଅନୁଯାୟୀ, 2024 ର ପ୍ରଥମାର୍ଦ୍ଧରେ 28500 ଭାରତୀୟ ଯାତ୍ରୀ ମସ୍କୋ ଗସ୍ତରେ ଆସି ଗତ ବର୍ଷ ସମାନ ସମୟ ତୁଳନାରେ 1.5 ଗୁଣ ବୃଦ୍ଧି କରିଥିଲେ।