ରାଞ୍ଚି: ଭାରତରେ ବିବାହକୁ ନେଇ ଅନେକ ପରମ୍ପରା ରହିଛି । ସାଧାରଣତଃ ବ୍ୟକ୍ତି ନିଜ ବିବାହ ଧୁମଧାମରେ କରିବା ପାଇଁ ସ୍ୱପ୍ନ ଦେଖିଥାନ୍ତି । ପ୍ରାୟତଃ ବର ପକ୍ଷକୁ ଖୁସି କରିବା ପାଇଁ କନ୍ୟା ପକ୍ଷମାନେ ଅନେକ ଚେଷ୍ଟା କରିଥାନ୍ତି । କିନ୍ତୁ ବେଳେ ବେଳେ ସେମାନେ କନ୍ୟା ପକ୍ଷର ଚର୍ଚ୍ଚାରେ ଅସନ୍ତୁଷ୍ଟ ହୋଇ ବିବାହ ଭାଙ୍ଗିଦେଇଥାନ୍ତି । କିନ୍ତୁ ଏହାର ଏକ ବିପରିତ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡରେ । ହଠାତ ବିବାହ ପାଇଁ ମନା କରିଦେଇଥିଲେ କନିଆ । ଶେଷରେ ବରକୁ ଶିଶୁପାଳ ହୋଇ ଫେରିବାକୁ ପଡ଼ିଥିଲା ।
ଝାଡ଼ଖଣ୍ଡ ଦେବଘର ଜିଲ୍ଲା ମୋହନପୁର ବ୍ଲକ୍ ଅଞ୍ଚଳ ଘୋରମାରାରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । ଶୀତ ପାଇଁ ଜଣେ ଯୁବକଙ୍କ ବିବାହ ଭାଙ୍ଗିଥିବା ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ଥାନୀୟ ଘୋରମାରା ନିବାସୀ ଅଟନ୍ତି ବର ପକ୍ଷ । ବରର ନାଁ ଅର୍ଣ୍ଣବ । ଅଙ୍କିତା ନାମକ ଏକ ମହିଳାଙ୍କ ସହ ତାଙ୍କ ବିବାହ ଠିକ୍ ହୋଇଥିଲା । ଉଭୟ ବର ଏବଂ କନ୍ୟା ପକ୍ଷଙ୍କ ସହମତିରେ ଏକ ଘରୋଇ ଗାର୍ଡେନ୍ କ୍ୟାମ୍ପସରେ ଉଭୟ ଅର୍ଣ୍ଣବ ଏବଂ ଅଙ୍କିତାଙ୍କ ବିବାହ ଉତ୍ସବ ଆୟୋଜିତ ହେଉଥିଲା । ସବୁ କିଛି ଠିକ୍ ଠାକ୍ ଚାଲିଥିଲା । ଉଭୟ ବର- କନିଆ ପରସ୍ପରକୁ ବରଣମାଳା ମଧ୍ୟ ପିନ୍ଧାଇଲେ । ଏହା ପରେ ବିବାହ ରୀତିନୀତି ଆରମ୍ଭ ହୋଇଥିଲା । କିନ୍ତୁ ମଣ୍ଡପରେ ହଠାତ ବର ବେହୋଶ ହୋଇ ପଡ଼ିଯାଇଥିଲା । ସେଠରେ ଉପସ୍ଥିତ ସମସ୍ତଙ୍କୁ ଏହା ଚକିତ କରିଥିଲା । ଅର୍ଣ୍ଣବଙ୍କ ହାତ ଗୋଡ଼ ଥଣ୍ଡା ପଡ଼ିଯାଇଥିଲା । ପରିବାର ତାଙ୍କୁ ଏକ କକ୍ଷକୁ ନେଇ ହାତ ଗୋଡ଼ ମାଲିସ କରିଥିଲେ । ପରେ ଏକ ସ୍ଥାନୀୟ ଡାକ୍ତରଙ୍କୁ ଖବର ଦିଆଯିବା ପରେ ସେ ଆସି ଅର୍ଣ୍ଣବଙ୍କ ସ୍ଥିତି ଯାଞ୍ଚ୍ କରିଥିଲେ । ପ୍ରାୟ ୧ରୁ ଦେଢ଼ ଘଣ୍ଟା ପରେ ବରର ସ୍ୱାସ୍ଥ୍ୟବସ୍ଥା ସାମାନ୍ୟ ହୋଇଥିଲା । ବର ମଣ୍ଡପକୁ ଆସିବା ପରେ କନିଆ ବିବାହ ପାଇଁ ମନା କରିଦେଇଥିଲେ । କନିଆ ଜଣଙ୍କ ତାଙ୍କ ମତରେ ଦର୍ଶାଇଥିଲେ କି ବରକୁ ନିଶ୍ଚିତ କୌଣସି ରୋଗ ରହିଛି । ତାଙ୍କ ଦ୍ୱନ୍ଦ୍ୱ ଆହୁରି ବଢ଼ିଯାଇଥିଲା କାରଣ ସାଧାରଣତଃ ବର ପକ୍ଷ ରୋଷଣୀ କରି ବରଯାତ୍ରୀ କରି କନିଆ ଘରକୁ ଆସିଥାନ୍ତି କିନ୍ତୁ ଏହି କ୍ଷେତ୍ରରେ କନ୍ୟା ପକ୍ଷ ବାଜା ବଜାଇ ବିବାହ ମଣ୍ଡପକୁ ଆସିଥିଲେ । ଏହା ପରେ ଉଭୟ ବର ଓ କନ୍ୟା ପକ୍ଷଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଶେଷରେ ମୋହନପୁର ଥାନା ଆଇଆଇସି ପ୍ରିୟରଞ୍ଜନ କୁମାର ଦଳ ଖବର ପାଇ ନିଜ ଟିମ୍ ସହ ଘଟଣାସ୍ଥଳରେ ପହଂଚିଥିଲେ । ସେ ଉଭୟ ପକ୍ଷ ମଧ୍ୟରେ ସମାଧାନର ବାଟ ଫିଟାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହେଲେ । ଶେଷରେ ବର ପକ୍ଷଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଥିଲା । ଅନ୍ୟପଟେ କନ୍ୟ ପକ୍ଷ ମଧ୍ୟ ବିହାର ଭାଗଲପୁର ଫେରିଥିଲେ ।