Plus Two Exam: ୧୨୬୮ ପରୀକ୍ଷା କେନ୍ଦ୍ରରେ ହେବ ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ବର: ଆସନ୍ତା ମାସରୁ ରାଜ୍ୟରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଆସନ୍ତା 18 ତାରିଖକୁ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ 1268 କେନ୍ଦ୍ରରେ ପରୀକ୍ଷା ହେବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ସକାଳ 10 ଘଟିକା ଠାରୁ ଅପରାହ୍ନ 1ଟା ପର୍ଯ୍ୟନ୍ତ ପରୀକ୍ଷା ହେବ । ୧୮ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀଙ୍କର MIL (ଓଡ଼ିଆ) ପରୀକ୍ଷା ଅଛି। ୧୯ ତାରିଖରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ । ୨୦ ତାରିଖରୁ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ।

ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ପାଇଁ ୩ ଲକ୍ଷ ୬୪ ହଜାର ୫୨୭ ଜଣ ରେଗୁଲାର ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ କଳାର ୨ ଲକ୍ଷ ୨୯ ହଜାର ୬୦୪ ଜଣ ହୋଇଥିବା ବେଳେ ବାଣିଜ୍ୟର ୨୩ ହଜାର ୫୬୦, ବିଜ୍ଞାନର ୧ ଲକ୍ଷ ୬ହଜାର ୩୨୫ ଓ ଧନ୍ଦାମୂଳକ ଶିକ୍ଷାର ୫୦୩୮ ଜଣ ଅଛନ୍ତି। ସେହିଭଳି ୨୭ ହଜାର ୨୮୨ ଜଣ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆବେଦନ କରିଛନ୍ତି। ଫେବୃଆରୀ 18 ତାରିଖରେ ଏହି ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ମାର୍ଚ୍ଚ 27ରେ ଶେଷ ହେବ ।  ତେବେ ପରୀକ୍ଷାକୁ ତ୍ରୁଟି ମୁକ୍ତ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।