INDvsAUS: ଚତୁର୍ଥ ଟେଷ୍ଟ୍ ପୂର୍ବରୁ ଅଷ୍ଟ୍ରେଲିଆ ନେଲା ବଡ଼ ପଦକ୍ଷେପ, ଟିମ୍ ଇଣ୍ଡିଆକୁ ରହିବାକୁ ପଡ଼ିବ ସତର୍କ

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ଡିସେମ୍ବର ୨୬ରୁ ମେଲବର୍ଣ୍ଣରେ ଖେଳାଯିବ। ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଏବେ ୧-୧ରେ ସମାନ ରହିଛି। ଏଭଳି ସ୍ଥିତିରେ ଏହି ଟେଷ୍ଟ ମ୍ୟାଚ୍ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମ୍ୟାଚ୍ ପୂର୍ବରୁ କଙ୍ଗାରୁମାନେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏଭଳି ସ୍ଥିତିରେ ଟିମ୍ ଇଣ୍ଡିଆକୁ ସତର୍କ ରହିବାର ଆବଶ୍ୟକତା ରହିଛି, ନଚେତ୍ ଡବ୍ଲ୍ୟୁଟିସି ଫାଇନାଲର ବାଟ ବହୁତ କଷ୍ଟକର ହେବ। ଚତୁର୍ଥ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା କରିଛି। କଙ୍ଗାରୁମାନେ ଦଳରେ କିଛି ବଡ଼ ପରିବର୍ତ୍ତନ କରିଛନ୍ତି। ଓପନର ନାଥନ ମ୍ୟାକସ୍ୱିନିଙ୍କୁ ଦଳରୁ ବାଦ୍ ଦିଆଯାଇଛି।

ସେ ପ୍ରଥମ ତିନୋଟି ଟେଷ୍ଟ ଖେଳିଥିଲେ ମଧ୍ୟ ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲେ। ଏହାବ୍ୟତୀତ ଚତୁର୍ଥ ଟେଷ୍ଟ ପାଇଁ ଦୁଇ ଜଣ ଅଲରାଉଣ୍ଡରଙ୍କୁ ଦଳରେ ସାମିଲ କରାଯାଇଛି। ଏଥିରେ ବିୟୁ ୱେବଷ୍ଟର ଏବଂ ସିନ୍ ଆବଟ ସାମିଲ ଅଛନ୍ତି। ତୃତୀୟ ଟେଷ୍ଟରେ ଆହତ ହୋଇଥିବା ଜୋଶ ହେଜଲଉଡ୍ ଚତୁର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ଦଳର ଅଂଶ ନୁହଁନ୍ତି। ତାଙ୍କ ସ୍ଥାନରେ ଦଳରେ ଦୁଇ ଜଣ ଦ୍ରୁତ ବୋଲର ରହିଛନ୍ତି। ଦ୍ବିତୀୟ ଟେଷ୍ଟରେ ଗୋଲାପୀ ବଲ୍ ରେ ୫ ୱିକେଟ୍ ନେଇଥିବା ସ୍କଟ୍ ବୋଲାଣ୍ଡ ଚତୁର୍ଥ ଟେଷ୍ଟ୍ ରେ ଦଳର ସଦସ୍ୟ ଅଛନ୍ତି। ଏଥିସହ ଜାଇ ରିଚାର୍ଡସନଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି।

ଏଭଳି ସ୍ଥିତିରେ ଚତୁର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆର ଚୂଡ଼ାନ୍ତ ଏକାଦଶ କେମିତି ରହିବ ତାହା କାହା ପାଇଁ ଆକଳନ କରିବା ସହଜ ହେବ ନାହିଁ। ଚତୁର୍ଥ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶ ଚୟନ କରିବା ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ପାଇଁ ସହଜ ହେବ ନାହିଁ। ଉଭୟ ଅଷ୍ଟ୍ରେଲିଆ ଓ ଭାରତଙ୍କ ପାଇଁ ଚତୁର୍ଥ ଟେଷ୍ଟଜିତିବା ଜରୁରୀ। ଏହି ଟେଷ୍ଟରେ ଦୁଇ ଦଳ ମଧ୍ୟରୁ ଯେ କୌଣସି ଦଳ ହାରିବେ, ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପ୍ରବେଶ କରିବା ଅତ୍ୟନ୍ତ କଷ୍ଟକର ହେବ। ଡବ୍ଲ୍ୟୁଟିସି ଫାଇନାଲର ଦୌଡ଼ ଏବେ ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳାକୁ ଆହୁରି ରୋମାଞ୍ଚକର କରିଛି।