(Video) ୟୁଟ୍ୟୁବର ରୂପା-ପିଣ୍ଟୁଙ୍କୁ ଅର୍ଥ ଲଗାଣକାରୀ ସଂସ୍ଥାର ନାଲିଆଖି

ଭୁବନେଶ୍ୱର– ରୂପା ଓ ପିଣ୍ଟୁଙ୍କ ଘରେ ରେଡ । ଫାଇନାନ୍ସ ରେଡ ହୋଇଛି ରୂପା ପିଣ୍ଟୁଙ୍କ ଘର ଉପରେ । ତେବେ କାହିଁକି ହୋଇଛି ଏହି ରେଡ? ତାକୁ ନେଇ ଅନେକ ପ୍ରଶ୍ନ ସାଧାରଣରେ । ତେବେ ଏହି ରେଡ ବେଳେ ଫାଇନାନ୍ସ କର୍ମଚାରୀଙ୍କ ନାଲି ଆଖିରେ ଭୟଭୀତ ହୋଇପଡିଛନ୍ତି ପରିବାର ବର୍ଗ । ପରିବାରର ମହିଳା ଭୟରେ କାନ୍ଦୁଛନ୍ତି ।

ମହାମାରୀ କରୋନା କାଳରେ ଲୋକେ କାମ ଧନ୍ଦା ହରାଇ ହାତବାନ୍ଧି ବସିଥିଲେ । ଆର୍ଥିକ ଅନଟନର ସମ୍ମୁଖୀନ ହେଉଥିଲେ ସାଧାରଣ ଜନତା । ହେଲେ ରୂପା ପିଣ୍ଟୁଙ୍କ ପରିବାର ବେଶ ହସ ଖୁସିରେ ଆଗେଇ ଚାଲିଥିଲା । ଏହି ମହାମାରୀ ସେମାନଙ୍କୁ ଦେଇଥିଲା ଏକ ପରିଚୟ । ପ୍ରତି ଘରେ, ପ୍ରତି ମୋବାଇଲ ୟୁଜର୍ସଙ୍କ ପାଖରେ ଉଭୟ ବେଶ ପରିଚିତ ଥିଲେ ସେମାନଙ୍କ ଭିଡିଓକୁ ନେଇ । ମହାମାରୀ କାଳରେ ଲୋକେ ହାତ ବାନ୍ଧି ବସିଥିବା ବେଳେ ଅର୍ଥ ରୋଜଗାରର ସାଧନ ଭାବେ ୟୁଟ୍ୟୁବକୁ ଆପଣେଇଥିଲେ ଏହି ଦମ୍ପତି । ୟୁଟ୍ୟୁବରେ ବିଭିନ୍ନ ଭିଡିଓ ଅପଲୋଡ କରି ଲୋକପ୍ରିୟତା ହାସଲ କରିବା ସହ ଅର୍ଥ ମଧ୍ୟ ଉପାର୍ଜନ କରିଥିଲେ ।

ତେବେ ଏମାନଙ୍କ ୟୁଟ୍ୟୁବ ପେଜରେ ସେମାନଙ୍କ ଘରେ ଫାଇନାନ୍ସ ରେଡ ହୋଇଥିବା ଖବର ମିଳୁଛି । ଏଥିସହ ୪୭ ମିନିଟର ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି । ଭିଡିଓରେ ଫାଇନାନ୍ସ କର୍ମଚାରୀ ଟଙ୍କା ଫେରାଇବାକୁ ସେମାନଙ୍କୁ ଧମକ ଚମକ ଦେଉଛନ୍ତି । ଖାଲି ସେତିକି ନୁହେଁ, ଟଙ୍କା ଫେରାଇବାର ଦମ ନାହିଁ ତ କାହିଁକି ଦାମୀ ଗାଡି କିଣିଛ କହି ଗାଡି ଟାଣିନେବାକୁ ଧମକାଉଛନ୍ତି । କର୍ମଚାରୀଙ୍କ ଧମକ ଶୁଣି ବିକଳରେ ରୂପା ଓ ତାଙ୍କ ଶାଶୂ କାନ୍ଦୁଥିବା ଦେଖିବାକୁ ମିଳୁଛି । ସେମାନଙ୍କୁ ଆଉ କିଛି ସମୟ ମହଲତ ଦେବାକୁ କରୁଛନ୍ତି ଗୁହାରୀ ।

ତେବେ ଏହି ଭିଡିଓଟି ବାସ୍ତବରେ କୌଣସି ରେଡର ଭିଡିଓ ନୁହେଁ ବୋଲି ଜଣାପଡିଛି । ରେଡରେ ସାଧାରଣ ଲୋକର ଅବସ୍ଥାକୁ ନିଛକ ରୂପେ ଉପସ୍ଥାପନ କରିଛନ୍ତି ରୂପା, ପିଣ୍ଟୁ, ସେମାନଙ୍କ ମା ତଥା ଗ୍ରାମବାସୀ ।