ଆସୁଛି ଓଲିଉଡ୍ ସୁପରଷ୍ଟାର ଅନୁଭବଙ୍କ Biography, ରହିଛି ଟିଭି ଆଙ୍କର ଜାଗୃତିଙ୍କ ବଡ଼ ଭୂମିକା

ଓଡ଼ିଶା ଭାସ୍କର: ଓଲିଉଡ୍ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ଅନୁଭବ ମହାନ୍ତି । ତାଙ୍କ ଜୀବନ ଏକ ଖୋଲା ବହି । ତାଙ୍କ ସହ ଘଟିଥିବା ଏମିତି କୌଣସି ଘଟଣା ନାହିଁ ଯାହା ଲୋକଙ୍କ ପାଖରେ ପହଞ୍ଚିନାହିଁ । ଆଲବମ୍ରୁ ଫିଲ୍ମ ଜଗତରେ ଏଣ୍ଟ୍ରି କରିବାଠାରୁ ଆରମ୍ଭ କରି ବର୍ଷାଙ୍କୁ ବିବାହ । ତା’ପରେ ରାଜନୀତିରେ ବାଜି ମାରିବାଠାରୁ ବର୍ଷାଙ୍କଠାରୁ ଅଲଗା ହେବା ପର୍ଯ୍ୟନ୍ତ । ଅନେକ କିଛି ଘଟଣା ଅନୁଭବଙ୍କସହ ଘଟିଛି ଯାହା ତାଙ୍କୁ କଷ୍ଟ ଦେବା ସହ ତାଙ୍କ ଫ୍ୟାନ୍ସଙ୍କୁ ମଧ୍ୟ ଆଘାତ ଦେଇଛି । ଏଭିତରେ ବିତିଯାଇଛି ଗୁଡେ ବର୍ଷ । ଏବେ ଏହି ନାୟକ ପହଞ୍ଚିଛନ୍ତି ୪୩ ବର୍ଷ ବୟସରେ । ଅନେକ ଅନୁଭବଙ୍କୁ ଓଡ଼ିଆ ଫିଲ୍ମ ଜଗତର ସୁପରଷ୍ଟାର ବୋଲି କୁହନ୍ତି । ଯାହାକୁ ସେ ଅନେକ ଥର ସତ ପ୍ରମାଣିତ କରିଛନ୍ତି ମଧ୍ୟ । ସେ ଜଣେ ଭଲ ଅଭିନେତା କହିବା ଆଦୌ ଭୁଲ୍ ହେବ ନାହିଁ । କାରଣ ସେ କରିଥିବା ଅଧିକାଂଶ ଫିଲ୍ମ ରିମେକ୍ ହୋଇଥିଲେ ମଧ୍ୟ ଲୋକଙ୍କୁ ପସନ୍ଦ ଆସିଛି ନିଶ୍ଚୟ । କାରଣ ତାଙ୍କ ପ୍ରତି ଓଡ଼ିଶା ସିନେମା ଦର୍ଶକଙ୍କ ଆହେତୁକ ଭଲପାଇବା ରହିଛି ।

ବର୍ଷାଙ୍କଠାରୁ ଅଲଗା ହେବା ପରେ ଅନୁଭବ ଏବେ ସିଙ୍ଗିଲ । କିନ୍ତୁ ପ୍ରଥମ ବିବାହ ନେଇ ଛାଡପତ୍ର ମାମଲା ଚାଲିଥିବାବେଳେ ଅନୁଭବଙ୍କର ଜଣେ ବାନ୍ଧବୀ ବେଶ୍ ଚର୍ଚ୍ଚାକୁ ଆସିଥିଲେ । ସେ ହେଉଛନ୍ତି ସାଂସଦ ଟିଭି ଆଙ୍କର ଜାଗୃତି ଶୁକ୍ଳା । ଗତକାଲି ଅନୁଭବଙ୍କ ଜନ୍ମଦିନ ଅବସରରେ ଜାଗୃତି ଅନୁଭବଙ୍କୁ ଶୁଭେଚ୍ଛା ଜଣାଇବା ସହ ଉପହାର ଦେବା ଲାଗି ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି । ଜାଗୃତି ଇନଷ୍ଟାଗ୍ରାମରେ ଏକ ବହିର ଫଟୋ ଶେୟାର କରିଛନ୍ତି । ଆଉ ସେ ବହିରେ ଅନୁଭବଙ୍କ ଫଟୋ ଥିବା ଦେଖିବାକୁ ମିଳିଛି । ଜାଗୃତି କ୍ୟାପସନରେ ଲେଖିଛନ୍ତି, ୪ ବର୍ଷରୁ ଅଧିକ ବର୍ଷର କର୍ତ୍ତବ୍ୟନିଷ୍ଠ ପରିଶ୍ରମ ପରେ ଓଡ଼ିଶାର ସୁପରଷ୍ଟାର ଅନୁଭବଙ୍କୁ ନେଇ ଲେଖାଯାଇଥିବା ବହି ସମ୍ପର୍କରେ ଘୋଷଣା କରୁଛୁ । ଅନୁଭବଙ୍କ ଜନ୍ମଦିନ ଅବସରରେ ବହିର କଭର ଉନ୍ମୋଚନ କରାଯାଇଛି । ତେବେ ଶେୟାର ହୋଇଥିବା କଭର ଫେଟୋରେ ଅନୁଭବଙ୍କ ଫଟୋ ଓ ଟାଇଟେଲରେ ତାଙ୍କ ନାମ ରହିବା ସହ ସବ୍-ଟାଇଟଲରେ ଲେଖାଯାଇଛି ବ୍ଲକବଷ୍ଟରରୁ ବାଲେଟ ବକ୍ସ ପର୍ଯ୍ୟନ୍ତ । ଜାଗୃତି ଏବଂ ଅସ୍ତିତ୍ୱ ଉଭୟେ ଏହି ବହିକୁ ଲେଖିଛନ୍ତି ।

ବର୍ଷା-ଅନୁଭବ ବିବାଦ ସମୟରୁ ହିଁ ଜାଗୃତି ତାଙ୍କ ସହ ରହିଛନ୍ତି । ଅନେକ ସମୟରେ ଦୁହିଁଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ କରାଯାଇଥିଲେ ସୁଦ୍ଧା ଚତୁରତାର ସହ ଦୁଇଜଣଯାକ ଲୋକଙ୍କ ପ୍ରଶ୍ନବାଣକୁ ଏଡ଼ାଇ ଦେଇଛନ୍ତି । ନିକଟରେ ଅନୁଭବଙ୍କ ହିଟ୍ ଫିଲ୍ମ ‘କର୍ମ’ର ପ୍ରୋମୋଶନବେଳେ ମଧ୍ୟ ଜାଗୃତିଙ୍କୁ ଅନୁଭବଙ୍କ ପାଇଁ ପ୍ରଚାର କରୁଥିବାର ଦେଖିବାକୁ ମିଳିଥିଲା ।ତଥାପି ଆମକୁ କହିବାକୁ ପଡିବ ଜାଗୃତିଙ୍କ ପାଇଁ ଅନୁଭବ ବହୁତ ସ୍ପେସାଲ। ଅନେକ ସମୟରେ ଦୁହେଁ ଏକାଠି ନଜରକୁ ଆସୁଛନ୍ତି । ହେଲେ ତାଙ୍କ ଭିତରେ ଥିବା ସମ୍ପର୍କର ପରିଚୟ ସେମାନେ କେବେ ଦେବାକୁ ଚାହିଁନାହାନ୍ତି । ପ୍ରତ୍ୟେକ ଥର ଦୁହେଁ ଭଲ ବନ୍ଧୁ ବୋଲି କହିଆସୁଛନ୍ତି । ତେବେ ସେମାନଙ୍କ ଭିତରେ ଥିବା ସମ୍ପର୍କ କ’ଣ ତାହା ଆଗାମୀ ଦିନରେ ଜଣାପଡ଼ିବ । ସେ ପର୍ଯ୍ୟନ୍ତ ଆମକୁ ସେମାନଙ୍କ ସମ୍ପର୍କକୁ ସାଙ୍ଗ ଭାବେ ହିଁ ଗ୍ରହଣ କରିବାକୁ ପଡ଼ିବ ।