କେହି ପିଇବେନି ମଦ, ବାଜିବନି DJ, ବିବାହ ପାଇଁ ଗାଁରେ ନିଆରା ନିୟମ
ବିବାହ ଉତ୍ସବରେ ମଦ-ଡିଜେ ପାଇଁ ରହିଛି କଟକଣା। ଏହି ଗାଁରେ ସରପଞ୍ଚଙ୍କ ନିଆରା ନିୟମ ।
ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ବ୍ୟକ୍ତି ଉତ୍ସବ ପାଳନ କରିବା ପାଇଁ DJ ଏବଂ ‘ମଦ’ର ସାହାରା ନେଇଥାନ୍ତି । ଏହା ବିନା ଯେପରି କୌଣସି ଉତ୍ସବ ଫିକା ପଡ଼ିଯାଏ ।
ଏଥିମଧ୍ୟରେ ବିବାହ ଉତ୍ସବରେ ମଦ ଏବଂ DJକୁ ନେଇ ନିଆରା ଆଦେଶ ଜାରି କରିଛନ୍ତି ସରପଞ୍ଚ ।
ସାମାଜିକ ସମାରୋହରେ ସକାରାତ୍ମକ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ଦିଗରେ ଏଭଳି ଏକ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି ।
ବିବାହରେ ମଦ: ଏଭଳି ଉତ୍ସବରେ ମଦ୍ୟପାନ ଏବଂ ଡିଜେ ତାଳେ ତଳେ ଝୁମିବା ଏକ ସାଧାରଣ କଥା । କିନ୍ତୁ ଅନେକ ସ୍ଥାନରେ ଏହା ସାମାଜିକ ଦୃଷ୍ଟିକୋଣରୁ ଭଲ ନୁହେଁ ।
ଆଜିକାଲି ଅଧିକାଂଶ ବ୍ୟକ୍ତି ବିବାହ ଉତ୍ସବରେ ଲୋକଦେଖାଣିଆ ଖର୍ଚ୍ଚ କରିବାକୁ ପଛାଉନାହାଁନ୍ତି ।
ଡେଷ୍ଟିନେସନ୍ ୱେଡିଂ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କୁ ନେଇ ଉତ୍ସବ ଆୟୋଜନ କରିବା, ତାରକା ହୋଟେଲରେ ଅତିଥି ବ୍ୟବସ୍ଥା ଇତ୍ୟାଦି ଏହି ତାଲିକାରେ ସାମିଲ ରହିଛି ।
ବିନା ମଦରେ ନାଚ: ପଞ୍ଜାବ ବଥିଣ୍ଡା ଜିଲ୍ଲା ସ୍ଥିତ ବଲ୍ଲୋ ଗାଁରେ ବିବାହ ଉତ୍ସବରେ ମଦ-ଡିଜେ ପାଇଁ କଟକଣା ରହିଛି ।
ନିକଟରେ ଗାଁର ସରପଞ୍ଚ ଅମରଜିତ କୌର ବିନା ମଦ ଓ ଡିଜେ ନାଚରେ ବିବାହ ଉତ୍ସବ ଆୟୋଜନ କରୁଥିବା ପରିବାରଙ୍କୁ ପୁରସ୍କୃତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ନଗଦ ପୁରଷ୍କାର ରାଶି: ବିନା ଡିଜେ- ମଦରେ ବିବାହ ଉତ୍ସବ ଆୟୋଜନ କଲେ ଉକ୍ତ ପରିବାରକୁ ନଗଦ ୨୧ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ।
ଗାଁର ମୋଟ୍ ଜନସଂଖ୍ୟା ପ୍ରାୟ ୫ ହଜାର ହୋଇଥିବାରୁ ଏଠି ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳାଗତ ମାହୋଲ ସୃଷ୍ଟି କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ସରପଞ୍ଚ୍ ।
ବିବାଦ ଏଡ଼ାଇବା: ମାତାଲ ହୋଇ ନାଚୁଥିବା କିଛି ବ୍ୟକ୍ତି ହଙ୍ଗାମା କରିବା ସହ ଉତ୍ସବର ଶାନ୍ତି ଭଙ୍ଗ କରିଥାନ୍ତି । ଉଚ୍ଚ ଡେସିବିଲରେ ଡିଜେ ଲଗାଇବା ଅନେକ ବ୍ୟକ୍ତିଙ୍କ ପାଇଁ ସମସ୍ୟାର କାରଣ ପାଲଟିପାରେ ।
ଉତ୍ସବ ସମୟରେ ମଦ ପାଇଁ ଗୋଷ୍ଠୀ ସଂଘର୍ଷ ମଧ୍ୟ ଦେଖିବାକୁ ମିଳିଥାଏ ।
ଖୁସି ବାଣ୍ଟିବା: ସରପଞ୍ଚ ଅମରଜିତ କୌର କହିଛନ୍ତି କି ଉଚ୍ଚ ଡିଜେ ସଂଗୀତ ଦ୍ୱାରା ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାଘତ ସୃଷ୍ଟି ହୋଇଥାଏ ।
ଏଭଳି ନିୟମର ଉଦ୍ଦେଶ୍ୟ ବିବାହ ଉତ୍ସବରେ ଖୁସି ବାଣ୍ଟିବା ଏବଂ ଅଯଥା ଖର୍ଚ୍ଚରୁ ବର୍ତ୍ତିବା ।