ଖଣ୍ଡଗିରିରେ ବନ୍ଦ ହେବ ନା ଚାଲୁ ରହିବ ଅଶ୍ଳୀଳତା, ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଯାତ୍ରା ମାଲିକ

ଖଣ୍ଡଗିରିରେ ଅଶ୍ଳୀଳ ନୃତ୍ୟକୁ ନେଇ ଦ୍ୱନ୍ଦ୍ୱ। ବନ୍ଦ ହେବ ନା ଚାଲୁ ରହିବ। ଚିନ୍ତାରେ ସରକାର। ଖୁବଶୀଘ୍ର ଆଣିପାରନ୍ତି ଗାଇଡଲାଇନ।

ଓଡ଼ିଶା ଭାସ୍କର: ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ, ବନ୍ଦ ହେବ ନା ଚାଲୁ ରହିବ। ବିବାଦୀୟ ଅଭିନେତ୍ରୀମାନଙ୍କୁ ଖଣ୍ଡଗିରି ମନା ହେବା ନିଷ୍ପତ୍ତି ପରେ ପୁଣି ତେଜିଲା ଚର୍ଚ୍ଚା।

ଯାତ୍ରାପାର୍ଟି ମାଲିକଙ୍କ ବିଭାଗୀୟ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କୁ ଚିଠି। ତୁରନ୍ତ ନିଷ୍ପତ୍ତି ନ ନେବାକୁ କଲେ ଅନୁରୋଧ। ସରକାରଙ୍କୁ ସମୟ ମାଗିଲେ ଯାତ୍ରାପାର୍ଟି ମାଲିକ।

 ଚିନ୍ତାରେ ସରକାର : ବିଶେଷ କରି ମାଘ ମାସରେ ଖଣ୍ଡଗିରିରେ ହେଉଥିବା ଯାତ୍ରାକୁ ନେଇ ସରକାର ଚିନ୍ତାରେ ପଡ଼ିଛନ୍ତି। ସେ କ’ଣ ନିଷ୍ପତ୍ତି ନେବେ ଜାଣିପାରୁନାହାନ୍ତି।

ନିକଟରେ ଖଣ୍ଡଗିରି ଯାତ୍ରାରେ ଗାଇଡ଼ଲାଇନ ନେଇ ଏକ ବୈଠକ ବସିଥିଲା। ଯେଉଁଥିରେ  ଅଶ୍ଳୀଳ ନୃତ୍ୟ ବନ୍ଦ ହେବା ନେଇ ଯଥାଶୀଘ୍ର ସରକାର ଗାଇଡଲାଇନ ଆଣିବେ ବୋଲି କୁହାଯାଇଥିଲା।

ସରକାରଙ୍କ ଏପରି ନିଷ୍ପତ୍ତିକୁ ଅନେକ ପ୍ରଶଂସା ମଧ୍ୟ କରିଥିଲେ। କାରଣ କିଛି ଦିନ ହେବ ଯାତ୍ରାରେ ଅଶ୍ଳୀଳତା ବଢି ବଢି ଚାଲିଛି। ଯାହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିଲା।

କିନ୍ତୁ ଏବେ ଯାତ୍ରା ମାଲିକମାନେ ସମୟ ମାଗିଛନ୍ତି। ଏହି ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ନେବାକୁ ଅନୁରୋଧ କରିଛନ୍ତି।

ପ୍ରତିବାଦ ପରେ ଚିଠି: କିଛି ଦିନ ତଳେ ଖଣ୍ଡଗିରି ଯାତ୍ରାକୁ ନେଇ ପ୍ରଶାସନ ଓ ଯାତ୍ରା ମାଲିକଙ୍କ ମଧ୍ୟରେ ଏକ ବୈଠକ ବସିଥିଲା।

ଯେଉଁ ବୈଠକ ପରେ ତିନି ବିବାଦୀୟ ଅଭିନେତ୍ରୀ ନିଶା ମହାରଣା,ସାହୁ ଭାଉଜ ଓ ରାନୀ ପ୍ରିୟଦର୍ଶିନୀଙ୍କୁ ଖଣ୍ଡଗିରି ମନା ହୋଇଥିଲା।

ହେଲେ ପରେ ଏହି ନିଶ୍ପତ୍ତିକୁ ନେଇ ପ୍ରତିବାଦ କରିଥିଲେ ତିନି ଅଭିନେତ୍ରୀ। ଯାହାପରେ ଯାତ୍ରା ମାଲିକ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖି ତୁରନ୍ତ ନିଷ୍ପତ୍ତି ନ ନେବାକୁ ଅନୁରୋଧ କରିଛନ୍ତି।

ଅଶ୍ଳୀଳତା ବନ୍ଦ ହେବ ନା ଚାଲୁ ରହିବ: ଯାତ୍ରାରେ ଚାଲିଥିବା ଅଶ୍ଳୀଳ ନୃତ୍ୟକୁ ନେଇ ଚାରିଆଡୁ ସମାଲୋଚିତ ହେବା ପରେ ଆକ୍ସନମୋଡକୁ ଆସିଛନ୍ତି ସରକାର।

ହେଲେ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ବନ୍ଦ ହେବ କି ନାହିଁ ତା ସମ୍ପୂର୍ଣ୍ଣରୂପେ ଜଣାପଡିନାହିଁ। ହେଲେ ସରକାର ଯଥାଶୀଘ୍ର ଏହା ଉପରେ ଗାଇଡଲାଇନ ଆଣିବେ ବୋଲି କୁହାଯାଉଛି।