ଭାରି ପଡ଼ିଲା କି ପୁଷ୍ପା ୨ର ରୋଜଗାର, ନିର୍ମାତାଙ୍କ ଘରେ ଆୟକର ଚଢ଼ାଉ

ପୁଷ୍କା ୨ର ରୋଜଗାର ସାଜିଲାକି କାଳ? ନିର୍ମାତାଙ୍କ ଘରେ ଆୟକର ବିଭାଗର ଚଢ଼ାଉ। ଏବେସୁଦ୍ଧା ପୁଷ୍ପା ୨ ରୋଜଗାର କରିସାରିଲାଣି ୧୮୦୦ କୋଟି ଟଙ୍କା।

ନୂଆଦିଲ୍ଲୀ: ପୁଷ୍ପା ୨ ଏବେବି ଲୋକଙ୍କ ମନରେ ରାଜ୍ କରୁଛି। ହଲରେ ଏବେବି ଭଲ ରୋଜଗାର ଦେଉଛି ପୁଷ୍ପା ୨। ହେଲେ ଏହି ରୋଜଗାର ବୋଧହୁଏ ଫିଲ୍ମ ନିର୍ମାତାଙ୍କୁ ସଙ୍କଟରେ ପକାଇଛି।

କାରଣ ପୁଷ୍ପା ୨ର ଫିଲ୍ମ ନିର୍ମାତା ନବୀନ ୟରନେନୀଙ୍କ ଘରେ ଏବଂ ଅଫିସରେ ଏବେ ଆୟକର ବିଭାଗ ଚଢ଼ାଉ କରିଛି। ଏହା ସହିତ ସାଉଥ୍‌ର ପ୍ରମୁଖ ପ୍ରଡ୍ୟୁସରରେ ଗଣା ଦିଲ୍ ରାଜୁ ଏବଂ ୱାଇ ରବି ଶଙ୍କରଙ୍କ ଘର ଏବଂ କାର୍ଯ୍ୟାଳୟରେ ମଧ୍ୟ ଚଢାଉ କରାଯାଇଛି।

୫୦ରୁ ଅଧିକ ଆଇଟି ଟିମ୍: ଆୟକର ବିଭାଗ ପୁଷ୍ପା ୨ର ନିର୍ମାତା ନବୀନ ୟରନେନୀଙ୍କ ଘର ଏବଂ ପ୍ରଡକ୍ସନ୍ ହାଉସ୍ ମାଇଥରୀ ମୁଭିଜ୍ ଅଫିସ୍ ମଧ୍ୟ ଯାଞ୍ଚ କରୁଛନ୍ତି। ଏହି ଚଢାଉ ପାଇଁ ୫୦ରୁ ଅଧିକ ଆଇଟି ଟିମ୍ ଲାଗିଛନ୍ତି।

ଏହି ଆଇଟି ଚଢାଉରେ ଦିଲ୍ ରାଜୁଙ୍କ ଘର ଏବଂ ମାଇଥରୀ ଅଫିସ୍ ସହିତ ଅନ୍ୟାନ୍ୟ ସ୍ଥାନ ମଧ୍ୟ ସାମିଲ୍ ଅଛି। ତେବେ ଆୟକର ବିଭାଗର ଏହି ଚଢାଉର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ।

କେତେ ରୋଜଗାର କରିଛି ପୁଷ୍ପା ୨: ଏହି ଫିଲ୍ମ ବର୍ତ୍ତମାନ ସୁଦ୍ଧା ୧୮୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିସାରିଲାଣି। ଅଲ୍ଲୁ ଅର୍ଜୁନ ଏବଂ ଏହାର ନିର୍ମାତା ଫିଲ୍ମର ସଫଳତାକୁ ବେଶ ଉପଭୋଗ ମଧ୍ୟ କରୁଛନ୍ତି।

ଫିଲ୍ମ ରିଲିଜ ହେବାର ପାଖାପାଖି ଦୁଅମାସ ପୁରିବାକୁ ବସିଲାଣି, ପୁଷ୍ପା ୨ ପରେ ଅନେକ ବଡ ବଜେଟ୍ ଏବଂ ସୁପରଷ୍ଟାର୍‌ଙ୍କ ଫିଲ୍ମ ରିଲିଜ୍ ହୋଇଛି। ହେଲେ ଏହାର ପ୍ରଭାବ କିନ୍ତୁ ପୁଷ୍ପା ୨ ଉପରେ ପଡୁନି।

କିନ୍ତୁ ଏବେ ଫିଲ୍ମ ନିର୍ମାତାଙ୍କ ଘରେ ଓ କାର୍ଯ୍ୟାଳୟରେ ଆୟକର ବିଭାଗର ଚଢ଼ାଉ ଚିନ୍ତାର କାରଣ ପାଲଟିଛି। କୁହାଯାଉଛି ପୁଷ୍ପା ୨ର ଏତେ ରୋଜଗାର ହୁଏତ ଏଥିପାଇଁ କାରଣ ହୋଇଥାଇପାରେ। କିନ୍ତୁ ଚଢ଼ାଇ ହେବାର ପ୍ରକୃତ କାରଣ କ’ଣ ତାହା ଜଣାପଡ଼ିନି।