ବିହାର ଲାଗି ପେଡ଼ି ଖୋଲିଦେଲେ ନିର୍ମଳା, ଓଡ଼ିଶାକୁ ମିଳିଲା କେତେ

ଗୋଟିଏ ପରେ ଗୋଟିଏ ଯୋଜନାରେ ବିହାର ପାଇବ କୋଟି କୋଟି ଟଙ୍କା। ୨୦୨୫-୨୬ ଆର୍ଥିକ ପୂର୍ଣ୍ଣାଙ୍ଗ ବଜେଟରେ ଘୋଷଣା କଲେ ଅର୍ଥମନ୍ତ୍ରୀ। ହେଲେ ଓଡ଼ିଶାକୁ ମିଳିଲା କ'ଣ।

ନୂଆଦିଲ୍ଲୀ: ଘଣ୍ଟେ ୧୪ ମିନିଟ୍ ଭାଷଣରେ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଯେଉଁ ବଜେଟ ଉପରେ ଦେଶବାସୀ ସମସ୍ତଙ୍କର ନଜର ରହିଥିଲା ଏବେ ସେହି ବଜେଟ୍ ଲୋକଙ୍କ ସାମ୍ନାରେ ଉପସ୍ଥାପନ ହୋଇସାରିଛି।

ହେଲେ ଓଡ଼ିଶାବାସୀଙ୍କର ଏହି ବଜେଟକୁ ନେଇ ଅନେକ ଆଗ୍ରହ ରହିଥିଲା। କି ଓଡିଶା ପାଇଁ କେଉଁ ପେଡ଼ି ଖୋଲାଯାଉଛି। ହେଲେ ବଜେଟ୍ ଉପସ୍ଥାପନ ରାଜ୍ୟବାସୀଙ୍କୁ ସେତେଟା ସନ୍ତୁଷ୍ଟିକର ଲାଗିଲାନାହିଁ। ବରଂ ଗୋଟିଏ ପରେ ଗୋଟିଏ ଯୋଜନାରେ ବିହାର ପାଇଁ ପେଡ଼ି ଖୋଲିଦେଲେ ଅର୍ଥମନ୍ତ୍ରୀ।

ଓଡ଼ିଶାକୁ ମିଳିଲା କ’ଣ: ତେବେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ। ଏହି ବଜେଟ ଉପରେ ସାରା ଦେଶର ଲକ୍ଷ୍ୟ ରହିଥିବାବେଳେ, ଓଡିଶାବାସୀଙ୍କ ପାଇଁ କେନ୍ଦ୍ର ସରକାର କେଉଁ ଯୋଜନା ଆଣୁଛନ୍ତି ତା ଉପରେ ନଜର ରଖିଥିଲେ ରାଜ୍ୟବାସୀ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟକୁ ନେଇ କିଛି ଦାବି କେନ୍ଦ୍ର ସରକାରଙ୍କ ନିକଟରେ ରଖିଥିବା ନେଇ ଜଣାପଡିଥିଲା। ହେଲେ ସେହିସବୁ ଯୋଜନାର ଦାବି ଉପରେ କେନ୍ଦ୍ର ସରକାର କେତେ ଦୃଷ୍ଟି ଦେଇଛନ୍ତି।

ତାହା ଉପରେ ସମସ୍ତଙ୍କର ନଜର ରହିଥିଲା। ହେଲେ ବଜେଟ୍ ଉପସ୍ଥାପନ ପରେ ରାଜ୍ୟବାସୀଙ୍କୁ ସେତେଟା ସନ୍ତୋଷଜନକ ଖବର ମିଳିପାରିନାହିଁ। କାରଣ ବଜେଟ୍‌ରେ ଓଡ଼ିଶାକୁ ସେମିତି କିଛି ଘୋଷଣା ହୋଇନଥିବା କୁହାଯାଉଛି।

ବିହାର ବଜେଟ୍: କିନ୍ତୁ ଅନ୍ୟପଟେ ବିହାର ଉପରେ ନୂଆ ନୂଆ ଯୋଜନାରେ କୋଟି କୋଟି ଟଙ୍କା ବର୍ଷା କରିଛନ୍ତି ଅର୍ଥମନ୍ତ୍ରୀ। ଅର୍ଥାତ୍‌ ବିହାର ପାଇଁ ଅନେକ ବଡ଼ବଡ଼ ଯୋଜନା କରିଛନ୍ତି କେନ୍ଦ୍ର ସରକାର।

ନୀତିଶଙ୍କ ରାଜ୍ୟରେ ପ୍ରତିଷ୍ଠା ହେବ ମଖାନା ବୋର୍ଡ। ଖାଲି ଏତିକି ନୁହେଁ ବରଂ ଏହା ସହ ପ୍ରତିଷ୍ଠା ହେବ ଜାତୀୟ ଖାଦ୍ୟ ପ୍ରଯୁକ୍ତି, ଔଦ୍ୟୋଗିକତା ଓ ପରିଚାଳନା ପ୍ରତିଷ୍ଠାନ ଆଦି କେତେ କଣ।

ବଜେଟକୁ ନେଇ ତେଜିଲା ରାଜନୀତି: ଯଦି ଦେଖିବା ବଜେଟ୍ ଉପସ୍ଥାପନ କରିବା ସମୟରେ ବିହାରର ମଧୁବନି ଶାଢ଼ୀ ପିନ୍ଧିଥିଲେ ଅର୍ଥମନ୍ତ୍ରୀ। ଅର୍ଥାତ୍‌ ନିର୍ମଳା ବଜେଟ୍‌ ଉପସ୍ଥାପନ କରିବା ବେଳେ ଯେଉଁ ଶାଢୀ ପରିଧାନ କରିଥିଲେ ତାହା ବିହାରର ମିଥିଳା ଅଂଚଳରୁ ଉତ୍ପାଦିତ ହେଉଥିବା ମଧୁବନି ଶାଢୀ ଥିଲା।

ଏହି ଶାଢୀକୁ ନିର୍ମଳାଙ୍କୁ ଉପହାର ଦେଇଥିଲେ ପଦ୍ମଶ୍ରୀ ବିଜେତା ଦୁଲାରୀ ଦେବୀ। ଆଉ ବିହାରୀ ଶାଢୀ ପିନ୍ଧି ବିହାରର ଭିତ୍ତିଭୂମିକୁ ସୁଦୃଢ କରିବା ଲାଗି ଗୋଟିଏ ପରେ ଗୋଟିଏ ଯୋଜନା କରିଥିଲେ ନିର୍ମଳା।

ଘୋଷଣା ଅନୁସାରେ, ପାଟନା ବିମାନବନ୍ଦରକୁ ସମ୍ପ୍ରସାରଣ କରାଯିବା ପାଇଁ ବଜେଟ୍‌ରେ ବ୍ୟୟ ଅଟକଳ କରାଯାଇଛି । ଏହା ସହ ରାଜ୍ୟରେ ପ୍ରତିଷ୍ଠା ହେବ ୪ଟି ନୂଆ ଗ୍ରୀନଫିଲ୍ଡ ବିମାନ ବନ୍ଦର, ବିହତାରେ ଏକ ବ୍ରାଉନଫିଲ୍ଡ ବିମାନ ବନ୍ଦର ବି ହେବ।

ସେହିପରି ମିଥିଳାଞ୍ଚଳରେ ଥିବା ପଶ୍ଚିମାଞ୍ଚଳ କୋସି କେନାଲ ଇଆରଏମ ପ୍ରକଳ୍ପ ଲାଗି ଆର୍ଥିକ ସହାୟତା ଘୋଷଣା ହୋଇଛି। ଗତ ୨୦୨୪ ବଜେଟରେ ବି ବିହାର ଲାଗି ୨୬ ହଜାର କୋଟି ଟଙ୍କା ପ୍ରଦାନ କରିଥିଲେ ନିର୍ମଳା। ହେଲେ ଏଥର ଏ ଆକାର ବଢିବ ବୋଲି କୁହାଯାଇଛି।

କାହିଁକି ମିଳିଲା ବିହାରକୁ ଅଧିକ ଗୁରୁତ୍ୱ: କୁହାଯାଉଛି ବିହାରରେ ଆଗାମୀ ଦିନରେ ବିଧାନସଭା ନିର୍ବାଚନ ହେଉଥିବାରୁ କେନ୍ଦ୍ର ସରକାରଙ୍କ ଫୋକସରେ ବିହାର ଥିବା ପରି ମନେ ହେଉଛି । ପୂର୍ବ ଲୋକସଭା ନିର୍ବାଚନରେ ଆନ୍ଧ୍ରକୁ ଢାଳି ଦେଇଥିଲେ, ହେଲେ ଏଥର ବିହାର ପାଳି।