ଯାତ୍ରୀଙ୍କର ଏ କିପ୍ରକାର ମାନସିକତା…ଚେକଇନ୍ କାଉଣ୍ଟରରେ ସାନିଟାରୀ ପ୍ୟାଡ୍ ଫିଙ୍ଗିଦେଲେ ଯାତ୍ରୀ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ନାଇଜେରିଆରେ ଜଣେ ମହିଳା ଯାତ୍ରୀ ବିମାନବନ୍ଦର ଚେକ୍-ଇନ୍ କର୍ମଚାରୀଙ୍କ ଉପରକୁ ତାଙ୍କର ମଇଳା ସାନିଟାରୀ ପ୍ୟାଡ୍ ଫିଙ୍ଗି ଦେଇଥିବା ଖବର ସାମ୍ନାକୁ ଆସିଛି । ଯେତେବେଳେ ମହିଳାଙ୍କୁ ବିମାନରେ ଚଢ଼ିବାକୁ ମନା କରାଗଲା, ସେ ରାଗିଯାଇ ଏହି ପଦକ୍ଷେପ ନେଇଥିବା ଜଣାପଡିଛି ।

ଗ୍ଲୋରିଆ ଓମିସୋର ନାମକ ଏହି ମହିଳା ଫେବୃଆରୀ 3 ତାରିଖରେ ଇଂଲଣ୍ଡର ମାଞ୍ଚେଷ୍ଟର ଯାତ୍ରା କରିବା ପାଇଁ ନାଇଜେରିଆର ତାଙ୍କ ଜନ୍ମସ୍ଥାନ ଲାଗୋସରୁ କେନିଆର ନାଇରୋବିର ଜୋମୋ କେନିଆଟା ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯାଇଥିଲେ ।

ଚେକ୍ ଇନ୍ କରିବା ସମୟରେ, ଓମିସୋରଙ୍କୁ ଏୟାରଲାଇନ୍ସ କର୍ମଚାରୀମାନେ କହିଥିଲେ ଯେ ଫ୍ରାନ୍ସରେ ପ୍ରବେଶ କରିବା ପାଇଁ ତାଙ୍କ ପାଖରେ ଆବଶ୍ୟକୀୟ ଭିସା ନାହିଁ  । ଏହି କଥାକୁ ନେଇ ଯାତ୍ରୀଜଣକ ରାଗି ଯାଇଥିଲେ ।

ଯେତେବେଳେ ତାଙ୍କୁ ବିମାନରେ ଚଢ଼ିବାକୁ ମନା କରାଗଲା, ସେ ଚେକ୍-ଇନ୍ କର୍ମଚାରୀଙ୍କ ସହ ଧସ୍ତାଧସ୍ତି ହୋଇଥିଲେ । ଏହା ପରେ, ସେମାନଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା ଏବଂ ମହିଳା ଜଣକ ତାଙ୍କର ବ୍ୟବହୃତ ସାନିଟାରୀ ପ୍ୟାଡ୍ କାଉଣ୍ଟରରେ ଫୋପାଡ଼ି ଦେଇଥିଲେ ।

ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ପ୍ୟାଡ୍‌ଟି ଭୂମିରେ ପଡ଼ିଥିବା ଦେଖାଯାଉଛି । ଏହି ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।