ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ପ୍ରଦାନ। ୧୮ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଗଲା ଟଙ୍କା।
୭ ମାସରେ ୯୮ ଲକ୍ଷ ମହିଳା ହିତାଧିକାରୀ ଉପକୃତ। ଯାଜପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। ମାର୍ଚ୍ଚ ୮ରେ ଦ୍ବିତୀୟ କିସ୍ତି ଟଙ୍କା ମିଳିବ କହିଲେ ଉପମୁଖ୍ୟମନ୍ତ୍ରୀ।
ଆଜି ଯାଜପୁର ବ୍ୟାସନଗରର ଖାନ୍ଦୋଳ ପଡିଆରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୧୮ ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରାଯାଇଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗ ଦେଇ ହିତାଧିକାରୀଙ୍କୁ ବାଣ୍ଟିଲେ ସୁଭଦ୍ରା ଟଙ୍କାକୁ। ଏହା ସହିତ ସାରା ରାଜ୍ୟରେ ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା ୯୮ ଲକ୍ଷ ଟପିଲା।
ନ୍ୟାସନାଲ୍ ପେମେଣ୍ଚସ୍ କର୍ପୋରେସନ୍ ଅଫ୍ ଇଣ୍ତିଆରେ ଅକୃତକାର୍ଯ୍ୟ ହୋଇଥିବା ୩ ଲକ୍ଷ ୩୮ ହଜାର ଉପଭୋକ୍ତାଙ୍କ ମଧ୍ୟରୁ ଏବେ ସୁଧା ୬୮ ହଜାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ଆସନ୍ତା ମାର୍ଚ୍ଚ ୮ ତାରିଖ ସୁଦ୍ଧା ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏକାଥରେ ୨ଟି କିସ୍ତିରେ ଟଙ୍କା ମିଳିବ। ଯେଉଁମାନେ ପ୍ରଥମ କିସ୍ତି ଟଙ୍କା ପାଇସାରିଛନ୍ତି।
ସେମାନଙ୍କୁ ଦ୍ବିତୀୟ ପର୍ଯ୍ୟାୟ ର ଦ୍ବିତୀୟ କିସ୍ତି ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି। ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ, ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଯେମିତି ସୁଭଦ୍ରା ଟଙ୍କା ମିଳିବ ସେନେଇ ପଦକ୍ଷେପ ନିଆଯିବ।
ଜଣେ ବି ବାଦ୍ ପଡିବେ ନାହିଁ। ସେଥିପାଇଁ ଆବଶ୍ୟକ ହେଲେ, ବାଦ୍ ପଡିଥିବା ହିତାଧିକାରୀଙ୍କୁ କର୍ମଚାରୀମାନେ ବ୍ୟକ୍ତିଗତ ଭାବେ ଭେଟି ସମସ୍ୟାର ସମାଧାନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
ଯେଉଁମାନେ ୮ ତାରିଖ ସୁଧା ଟଙ୍କା ନ ପାଇବେ ଓ୍ବେବସାଇଟରେ ସେମାନଙ୍କର ନ ମିଳବା କାରଣ ବାବଦରେ ଉଲ୍ଲେଖ କରାଯିବ। ସେମାନେ କାରଣ ଜାଣି ସମସ୍ୟାର ସମାଧାନ୍ କରିପାରିବେ।
ଏପର୍ଯ୍ୟନ୍ତ ମୋଟ୍ ୧ କୋଟି ୭ ଲକ୍ଷ ୨୩ ହଜାର ୨୯୪ ଜଣ ପଞ୍ଜିକରଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୦ ଲକ୍ଷ ୨୯ ହଜାର ୭୪୧ ଜଣଙ୍କୁ ସହାୟତା ରାଶି ପ୍ରଦାନ କରାଯାଉଛି।